ମରଣଯନ୍ତା ପାଲଟିଛି ନୀଳଗିରି-ବଉଳଗଡିଆ ରାସ୍ତା

ନୀଳଗିରି  :  ନୀଳଗିରି-ପଞ୍ଚଲିଙ୍ଗେଶ୍ୱର-ବଉଳଗଡିଆ (ପିଡବ୍ଲୁ୍ୟଡି) ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତା ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ସଂଯୋଗ କରୁଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ପୀଠକୁ । ମାତ୍ର ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ପାଇଁ ସରକାର ଉଦାସୀନ ରହିବା ପରିତାପର ବିଷୟ । ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ସରକାର । ଦୈନିକ ଉକ୍ତ ରାସ୍ତା ଦେଇ ବଡ଼ ବଡ଼ ଭାରୀଯାନ ଯିବାଆସିବା କରିବା ସହ ବାରିପଦାରୁ ଭୁବନେଶ୍ୱର ବହୁ ଲୋକ ଯାତାୟତ କରନ୍ତି । ରାସ୍ତା ମରଣଯନ୍ତା ପାଲଟିଥିବା ଫଳରେ ଉକ୍ତ ରାସ୍ତା ଉପରେ ନିର୍ଭର କରି ଯାତାୟାତ କରୁଥିବା ସାଧାରଣ ଲୋକ, ଆମ୍ବୁଲାନ୍ସ, ପର୍ଯ୍ୟଟକ ଓ ବିଦ୍ୟାଳୟ, ମହାବିଦ୍ୟାଳୟର ପିଲାମାନେ ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି । ମାତ୍ର ରାସ୍ତାର ଦୂରାବସ୍ଥା ପାଇଁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।  ପୂର୍ବରୁ ଉକ୍ତ ରାସ୍ତା ମରାମତି ଦାବିରେ ନୀଳଗିରି ସିପିଆଇ ପକ୍ଷରୁ ରାସ୍ତାରୋକ କରିଥିଲେ ମଧ୍ୟ ରାସ୍ତା ମରାମତି କରିବାର ପ୍ରତିଶ୍ରୁତି ଦେଇଥିଲେ ବି ଏହାର କିଛି ସୁଫଳ ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ । ତେଣୁ ଭାରତୀୟ କମୁ୍ୟନିଷ୍ଟ ପାର୍ଟି ଶ୍ୟାମସୁନ୍ଦରପୁର ବ୍ରାଞ୍ଚ ପକ୍ଷରୁ କୈଳାଶ ଚନ୍ଦ୍ର ପଣ୍ଡା, ଅନାଦିଚରଣ ନାୟକ, ଗୌରହରି ବେହେରା, ଜୟନ୍ତ କୁମାର ସ, ପ୍ରଭାକର ପରିଡା, ଲକ୍ଷ୍ମୀଧର ସ, ଗାୟତ୍ରୀ ପଣ୍ଡା, ମନୋରଞ୍ଜନ ଦାସ, ପୁରୁଷୋତ୍ତମ ସେଠି ପ୍ରମୁଖ ନୀଳଗିରି ଉପ-ଜିଲ୍ଲାପାଳଙ୍କୁ ଭେଟି ନୀଳଗିରି ବଉଳଗଡ଼ିଆ ରାସ୍ତାକୁ ୭ ଦିନ ମଧ୍ୟରେ ଯଦି କାର୍ଯ୍ୟ ସମ୍ପୂର୍ଣ୍ଣ କରା ନଯାଏ, ତାହେଲେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ଶୁକ୍ରବାର ସକାଳ ୮.୦୦ ଘଟିକା ଠାରୁ ପଞ୍ଚଲିଙ୍ଗେଶ୍ୱର ଛକ ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିବାରାତ୍ର ଧାରଣା ଦିଆଯିବା ନେଇ ଦାବିପତ୍ରରେ ଉଲ୍ଲେଖ ରହିଛି ।