ଏବେ ୯ ଜିଲ୍ଲାରେ ନିଅଣ୍ଟିଆ

Rain Deficit in Odisha

ଏବେ ୯ ଜିଲ୍ଲାରେ ନିଅଣ୍ଟିଆ

୨୦ରେ ସ୍ୱାଭାବିକ, ମାଲାକାନାଗିରିରେ ଅତ୍ୟଧିକ
ବଙ୍ଗୋପସାଗରରେ ଲଘୁଚାପ, ଆଗକୁ ୩ ଦିନ ବର୍ଷା କମ୍‌

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିହୋଇଛି  । ଦକ୍ଷିଣ ଓଡ଼ିଶା ନିକଟରେ ଏହା ସକ୍ରିୟ ରହିଛି  । ଉତର-ଉତରପୂର୍ବ ମାଲକାନାଗିରିର ୫୦ କିଲୋମିଟର ଦୂରରେ ଏହା ସକ୍ରିୟ ରହିଛି  । ତେବେ ଏହାର ପ୍ରଭାବରେ ଓଡ଼ିଶାରେ ବେଶୀ ବର୍ଷା ହେବାର ସମ୍ଭାବନା ନାହିଁ  । ଆସନ୍ତାକାଲି ମାଲକାନାଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି  । ତେବେ ଆଉ ତିନିଦିନ ବର୍ଷା କମ୍‌ ହେବ  । କିନ୍ତୁ ସେପ୍ଟେମ୍ବର ୫ରେ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, କଟକ ଓ ପୁରୀରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି  ।  

ପ୍ରାୟ ମାସେ ଧରି ଲଗାତର ବର୍ଷା ହେବାରୁ ଅଧିକାଂଶ ଜିଲ୍ଲା ନିଅଂଟିଆ ସ୍ଥିତିରୁ ମୁକୁଳିପାରିଛି  । ଅଦ୍ୟାବଧି ରାଜ୍ୟର ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ମାଲକାନାଗିରିରେ ଅତ୍ୟଧିକ ବର୍ଷା ହୋଇଥିବା ରେକଡର଼୍ କରାଯାଇଛି  । ତେବେ ଏଯାଏଁ ବି ୯ ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଛି  ।

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରେ ନିଅଂଟିଆ ବର୍ଷା ହୋଇଛି  । ସ୍ୱାଭାବିକ ଠାରୁ ୨୦%ରୁ ୫୯% ପର୍ଯ୍ୟନ୍ତ କମ୍‌ ବର୍ଷା ହେଲେ ତାହାକୁ ନିଅଂଟିଆ ବୋଲି କୁହାଯାଏ  । ତେବେ ଝାରସୁଗୁଡ଼ାରେ ୨୧%, ଦେବଗଡ଼ରେ ୨୫%, ମୟୂରଭଞ୍ଜରେ ୨୪% ବର୍ଷା କମ୍‌ ହୋଇଛି  । ଅର୍ଥାତ୍‌ ଆଉ ସପ୍ତାହେ ସେହି ସବୁ ଜିଲ୍ଲାରେ ବର୍ଷା ଜାରିରହିଲେ ତାହା ସ୍ୱାଭାବିକ ବର୍ଷା ତାଲିକାକୁ ଆସିପାରିବ  । ତେବେ ଭଦ୍ରକରେ ୪୩% ଓ ବାଲେଶ୍ୱରରେ ୪୧% କମ୍‌ ବର୍ଷା ହୋଇଥିବାରୁ ଏହା ଉଦବେଗଜନକ ସ୍ଥିତିରେ ରହିଛି ବୋଲି କୁହାଯାଇପାରିବ  । 

ଅପରପକ୍ଷରେ ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼,  ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଢେଙ୍କାନାଳରେ ସ୍ୱାଭାବିକ ବର୍ଷା ହୋଇଥିବା ରେକଡର଼୍ କରାଯାଇଛି  । (-)୧୯%ରୁ (+) ୧୯% ବର୍ଷା ହୋଇଥିଲେ ତାହାକୁ ସ୍ୱାଭାବିକ ବୋଲି କୁହାଯାଏ  । ତେବେ ସୁନ୍ଦରଗଡ଼ରେ -୧୮%, ସମ୍ବଲପୁରରେ -୧୭%, ଅନୁଗୁଳରେ -୧୩%, କନ୍ଧମାଳରେ -୧୮%, କଳାହାଣ୍ଡିରେ -୧୮% ବର୍ଷା ହୋଇଛି  । ଯଦି ବର୍ଷା କିଛିଦିନ ଅଟକିଯାଏ ତେବେ ଏହି ସବୁ ଜିଲ୍ଲାଗୁଡ଼ିକ ନିଅଂଟିଆ ଆଡ଼କୁ ଗତି କରିବାର ଆଶଙ୍କା ରହିଛି  । ତେବେ ମାଲକାନାଗିରିରେ ସର୍ବାଧିକ ବର୍ଷା ହୋଇଛି  । ଏଠାରେ ସ୍ୱାଭାବିକ ଠାରୁ ୪୬% ଅଧିକ ବର୍ଷା ହୋଇଛି  । ଚଳିତ ବର୍ଷ ମୌସୁମୀ ମାଲକାନାଗିରିରେ ପ୍ରଥମେ ଛୁଇଁଥିବାବେଳେ ଅନେକବାର ବାଦଲଫଟା ବର୍ଷା ମଧ୍ୟ ହୋଇଥିଲା  ।