‘ସ୍ୱଚ୍ଛତା କ’ଣ, ତାହା ମୋହନ ସରକାର ଦେଖାଇବେ’
SANATAN BIJULI
ଭୁବନେଶ୍ୱର : ନବୀନ ସରକାରଙ୍କ ଅମଳରେ ସ୍ୱଚ୍ଛତାର କଥା କୁହାଯାଉଥିଲା । କିନ୍ତୁ ପୂର୍ବ ସରକାର କେତେ ସ୍ୱଚ୍ଛ ଥିଲା ତାହା ସମସ୍ତେ ଜାଣନ୍ତି । ମୋହନ ସରକାର ହିଁ ସ୍ୱଚ୍ଛତା କ’ଣ ତାହା ଦେଖାଇବେ ବୋଲି କହିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି ।
ସେ କହିଛନ୍ତିଯେ, କେଉଁ ଜନ୍ମରେ ପୂଣ୍ୟ କରିଥିଲି ବୋଲି ଆଜି ବିଜେପି ବିଧାୟକ ହୋଇଛି । ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନରେ ଏ ଦଳ ଉପରକୁ ଉଠିଛି । ଦିନେ ସଂସଦରେ ୨ ଜଣ ସାଂସଦ ଥିଲେ, କିନ୍ତୁ ଆଜି ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ସରକାର କରିଛନ୍ତି । ପ୍ରମୋଦ ମହାଜନ ଟଙ୍କା ଦେଇନଥିଲେ କି ଅଟଳ ବିହାରୀ ବାଜପେୟୀ ସାହାଯ୍ୟ କରିନଥିଲେ ବିଜେଡ଼ି ବିଲୟ ହୋଇ ଯାଇଥା’ନ୍ତା । ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ମୋଦି ସରକାର ଘୋଷଣା କରିଛନ୍ତି । ବିଜେଡ଼ି ସରକାର ଅମଳରେ ଜଳସେଚନ ପ୍ରକଳ୍ପରୁ ପାଣି ମିଳୁନଥିଲା । ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଭେଟୁନଥିଲେ । ଏବେ କିନ୍ତୁ ଲୋକଙ୍କର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ଜନତାଙ୍କୁ ଭେଟି ସୁଖଦୁଃଖ ବୁଝୁଛନ୍ତି । ଆମେ ଯାହା କହିଛୁ, ତାହା ପାଳନ କରିବୁ । ଶ୍ରମିକ ମଜୁରୀ ୬ ଶହ ଟଙ୍କା ବଢ଼ିଛି । ବିଜେଡ଼ି ସରକାର ଶିକ୍ଷାକୁ ଧ୍ୱଂସ କରିଦେଇଥିଲେ ବୋଲି ସେ କହିଛନ୍ତି ।