ସନ୍ଦୀପ ଘୋଷଙ୍କ ବିରୋଧରେ ଦୁର୍ନୀତି ମାମଲା ; ତଦନ୍ତ କରିବ ଏସଆଇଟି

କୋଲକାତା ପୁଲିସ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଛି। ୨୦୨୧ରୁ ମେଡିକାଲରେ ହୋଇଥିବା ଆର୍ଥିକ ହେରଫେର ଘଟଣାରେ ତାଙ୍କର ସମ୍ପୃକ୍ତି ଥିବାନେଇ ମାମଲା ରୁଜୁ ହୋଇଛି । ଏସଆଇଟି ଏହାର ତଦନ୍ତ ଭାର ଗ୍ରହଣ କରିବ ।

୩୧ ବର୍ଷୀୟ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ପରେ ତାଙ୍କ ମୃତଦେହ ମିଳିଥିଲା। ଏହାପରେ ସିବିଆଇ ସହ ପଶ୍ଚିମବଙ୍ଗ ସରକାରର ଏସଆଇଟି ତଦନ୍ତ କରୁଛି। ଏସଆଇଟି ଟିମ୍ ୨୦୨୧ରୁ ଅଦ୍ୟାବିଧି ଆର୍ଥିକ କାର୍ୟ୍ୟକଳାପର ତଦନ୍ତ କରୁଛି। ପଶ୍ଚିମବଙ୍ଗ ସରକାର ୨୦୨୧ ମସିହାରୁ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦେଖାଦେଇଥିବା ଅଭିଯୋଗର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରି ମାମଲାକୁ ଜୋରଦାର କରିଛନ୍ତି। ସନ୍ଦୀପ ଘୋଷଙ୍କ କାର୍ୟ୍ୟକାଳରେ ହୋଇଥିବା ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ ଦାୟିତ୍ୱ ଏହି ଟିମକୁ ଦିଆଯାଇଛି। ଅଗଷ୍ଟ ୯ରେ ଡାକ୍ତରଖାନା ପରିସରରେ ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ବିବାଦ ସୃଷ୍ଟି ହୋଇଛି। ଏହି କଳା ଘଟଣାର ମାତ୍ର ଦୁଇ ଦିନ ପରେ ଆରଜି କର ମେଡିକାଲ କଲେଜର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସନ୍ଦୀପ ଘୋଷ।

ମହିଳା ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ କାର୍ୟ୍ୟକଳାପ ସମ୍ପର୍କରେ ଗତ ୪ ଦିନ ଧରି ସିବିଆଇ ପ୍ରାୟ ୫୩ ଘଣ୍ଟା ଧରି ପଚରାଉଚରା କରିଛି। ପୀଡ଼ିତାଙ୍କ ପିତାମାତାଙ୍କୁ ଜଣାଇବାରେ ବିଳମ୍ବ ଏବଂ ଘଟଣାସ୍ଥଳ ନିକଟରେ ମରାମତି ସମ୍ପର୍କରେ ସନ୍ଦୀପ ଘୋଷଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠିଛି। ସିବିଆଇର ତଦନ୍ତ ପରେ ଅଭିଯୁକ୍ତ ସଞ୍ଜୟ ରୟକୁ ଗିରଫ କରାଯାଇଛି । ଏହି ଅପରାଧରେ ଅନ୍ୟମାନେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ନେଇ ଏବେ ତଦନ୍ତ ଜାରି ରହିଛି। ସନ୍ଦୀପ ଘୋଷଙ୍କ ବୟାନରେ ସନ୍ତୁଷ୍ଟ ନାହିଁ ସିବିଆଇ। ସେ ସିବିଆଇକୁ ଭ୍ରମିତ କଲା ଭଳି ଉତ୍ତର ରଖୁଛନ୍ତି। ଏଭଳି ସ୍ଥିତିରେ ତାଙ୍କର କଲ ରେକର୍ଡ ଓ ହ୍ୱାଟ୍ସଆପ୍ ଚାଟ୍ ସିବିଆଇ ସ୍କାନରରେ ରହିଛି। ସେଥିରୁ ଅନେକ କିଛି ଜଣାପଡ଼ିବ ବୋଲି ଆଶା କରାଯାଉଛି। ତାଙ୍କର ମଧ୍ୟ ପଲିଗ୍ରାଫ୍ ଟେଷ୍ଟ ହୋଇପାରେ ବୋଲି କିଛି ରିପୋର୍ଟରେ କୁହାଯାଉଛି।