ଭକ୍ତଙ୍କ ହାତରେ ପିସିସି ମଙ୍ଗ
bhakta das pcc PRESIDENT

।। ପ୍ରଭାନ୍ୟୁଜ ।। ଭୁବନେଶ୍ୱର, ୧୧ା୨ : ପିସିସି ସଭାପତି ପଦକୁ ନେଇ ଗତ ୭ ମାସ ଧରି ଚାଲିଥିବା ଛକାପଞ୍ଝା ଓ ଅଙ୍କକଷାର ଅବସାନ ଘଟିଛି । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଦଳର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ସୂଚନା ଦେଇଛନ୍ତି ।
ଖାଲି ପଶ୍ଚିମ ଓଡ଼ିଶାର ନୁହେଁ ରାଜ୍ୟର ଜଣେ ଟାଣୁଆ ଆଦିବାସୀ ନେତା ଭାବେ ଭକ୍ତଙ୍କର ଖ୍ୟାତି ରହିଛି । ଶରତ ପଟ୍ଟନାୟକ ପଦରୁ ହଟିବା ପରେ ଗତବର୍ଷ ଜୁଲାଇରୁ ପିସିସି ସଭାପତି ପଦ ଫାଙ୍କା ରହିଥିଲା । ଏମିତିକି ପିସିସିର ସବୁ କମିଟିକୁ ବି ଏଆଇସିସି ଭାଙ୍ଗି ଦେଇଥିଲେ ।
ଶରତ ହଟିବା ପରେ ପିସିସି ରେସ୍ରେ ରହିଥିଲେ କଟକ-ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍, କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ପୂର୍ବତନ ସାଂସଦ ଭକ୍ତ ଚରଣ ଦାସ । ପିସିସି ସଭାପତି ହେବା ପାଇଁ ନେତାମାନେ ନିଜ ନିଜ ବାଟରେ ଲବି କରିଥିଲେ । ତେବେ ସପ୍ତଗିରି ପିସିସି ସଭାପତି ହେବାକୁ ଆଗ୍ରହୀ ନାହାନ୍ତି ବୋଲି ଦିଲ୍ଲୀରେ ସୂଚନା ଦେଇଥିଲେ । ସେହିପରି ଜୟଦେବ ଜେନାଙ୍କ ନାମ ଚର୍ଚ୍ଚାରେ ଥିଲେବି ସେ ସଭାପତି ହେବାକୁ ଆଗ୍ରହୀ ନଥିବା କହିଥିଲେ । ଯେଉଁମାନଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା ସେମାନଙ୍କ ମଧ୍ୟରେ ଭକ୍ତ କିନ୍ତୁ ସବୁଠାରୁ ଅଭିଜ୍ଞ ଥିଲେ । ଏଆଇସିସିରେ ମଧ୍ୟ ତାଙ୍କର କାଟତି ରହିଛି । ୧୯୮୦ ଦଶକରେ ଜଣେ ଚର୍ଚ୍ଚିତ ଯୁବ ଆଦିବାସୀ ଚେହେରା ଭାବେ ସୁନାମ ଅର୍ଜନ କରିଥିଲେ । ଜଙ୍ଗଲ ବଞ୍ଚାଅ ଆନ୍ଦୋଳନରୁ ନେଇ କୃଷକ ଆନ୍ଦୋଳନ ପର୍ଯ୍ୟନ୍ତ ସବୁଥିରେ ଭକ୍ତଙ୍କ ସାଂଗଠନିକ ଦକ୍ଷତା ପ୍ରତିପାଦିତ ହୋଇଥିଲା । ମାତ୍ର ୩୦ ବର୍ଷ ବୟସରେ ଅର୍ଥାତ୍ ୧୯୮୫ରେ ଜନତା ପାର୍ଟିର ପ୍ରାର୍ଥୀ ଭାବେ ଭବାନୀପାଟଣାରୁ ବିଧାୟକ ହୋଇଥିଲେ । ପରେ ସେ ୧୯୮୯ରୁ ଜନତା ଦଳ ଟିକେଟରେ କଳାହାଣ୍ଡିରୁ ସାଂସଦ ହୋଇଥିଲେ । ୧୯୯୬ରେ ସେ କଳାହାଣ୍ଡିରୁ ସାଂସଦ ହେବା ସହ ଚନ୍ଦ୍ରଶେଖରଙ୍କ ସରକାରରେ ରେଳ ରାଷ୍ଟ୍ରମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ । ୨୦୦୯ରେ ମଧ୍ୟ ପୁନଶ୍ଚ କଂଗ୍ରେସ ଟିକେଟରେ ସେ କଳାହାଣ୍ଡିର ସାଂସଦ ହୋଇଥିଲେ । ଗତ ୨୦୨୪ ନିର୍ବାଚନରେ ସେ ଓ ତାଙ୍କ ପୁଅ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ଭକ୍ତ ହାରିଥିଲେ ବି ତାଙ୍କ ପୁଅ ଭବାନୀପାଟଣାରୁ ବିଧାୟକ ହୋଇପାରିଛନ୍ତି । ପୁଅ ସାଗର ଚରଣ ଦାସ ମଧ୍ୟ ଯୁବ କଂଗ୍ରେସର ଆଗଧାଡ଼ିର ନେତା ଥିବାବେଳେ ଯୁବ କଂଗ୍ରେସ ସଭାପତି ରେସରେ ରହିଥିଲେ ।