ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
SUBHADRA JOJANA
ଭୁବନେଶ୍ୱର : ଆସନ୍ତା ୪ରୁ ସୁଭଦ୍ରା ଫର୍ମ ସଂଗ୍ରହ ଆରମ୍ଭ ହେବ । ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ନିରୂପଣ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟଳୟରେ ଫର୍ମ ସଂଗ୍ରହ ହେବ । ଚଳିତ ବର୍ଷର ରାକ୍ଷୀ ପୂର୍ଣ୍ଣିମା କିସ୍ତି ସେପ୍ଟେମ୍ବର ୧୭ରେ ହିଁ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନରେ ଓଡ଼ିଶା ଆସି ଏହାର ଶୁଭାରମ୍ଭ କରିବେ । ସେହିପରି ଆଜି ସୁଭଦ୍ରା ଯୋଜନାର ୱେବ ପୋର୍ଟାଲର ଶୁଭାରମ୍ଭ ହୋଇଛି । ୱେବସାଇଟ୍ www.subhadra.odisha.gov.inକୁ ଉପମୁଖ୍ୟମନ୍ତ୍ରୀ ପରିଡା ଶୁଭାରମ୍ଭ କରିଛନ୍ତି ।
ସେ କହିଛନ୍ତିଯେ, ସୁଭଦ୍ରା ଏକ ଯୁଗାନ୍ତକାରୀ ଯୋଜନା । କୌଣସି ଜାଲ୍ ୱେବସାଇଟ ଦ୍ୱାରା ଭ୍ରମିତ ହୁଅନ୍ତୁ ନାହିଁ । ସୁଭଦ୍ରା ଯୋଜନା ସମ୍ବନ୍ଧରେ ଜାଣିବା ପାଇଁ ଏହି ୱେବ ପୋର୍ଟାଲରେ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି । ଏହାଦ୍ୱାରା ଆପଣମାନେ ସହଜରେ, ସୁବିଧାରେ, ସବୁଠାରେ ସୁଭଦ୍ରା ବିଷୟରେ ପଢିପାରିବେ ଓ ବୁଝିପାରିବେ । ଏହାର ଉପାଦାନ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ରହିଛି ।
ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ଦାୟିତ୍ୱ ସହ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛି । ସୁଭଦ୍ରା ଯୋଜନା ସମ୍ବନ୍ଧୀୟ କୌଣସି ନୂଆ ଘୋଷଣା ସଂକ୍ରାନ୍ତୀୟ ତଥ୍ୟ ମଧ୍ୟ ଏଥିରେ ଉପଲବ୍ଧ ହେବ । ଏହାଛଡ଼ା ଟୋଲ ଫ୍ରି ନମ୍ବର -୧୪୬୭୮ ସକାଳ ୬ରୁ ରାତି ୧୦ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ପୂରଣ ହୋଇଥିବା ଫର୍ମ ସହିତ ଆବେଦନକାରୀଙ୍କୁ କେବଳ ଆଧାର କାର୍ଡର ନକଲ ଦାଖଲ କରିବାକୁ ହେବ । ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ନିରୂପଣ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟଳୟରେ ୪ ସେପ୍ଟେମ୍ବର ଅପରାହ୍ନରୁ ଫର୍ମ ସଂଗ୍ରହ ଆରମ୍ଭ କରାଯିବ । ଏହି ଫର୍ମ ଦାଖଲ ସମ୍ପୂର୍ଣ୍ଣ ମାଗଣା ହେବ । ସରକାରଙ୍କ ଅନୁମୋଦନ କ୍ରମେ ଚଳିତ ବର୍ଷର ରାକ୍ଷୀ ପୁର୍ଣ୍ଣିମା କିସ୍ତି ସେପ୍ଟେମ୍ବର ୧୭ରେ ଦେବା ଆରମ୍ଭ କରାଯିବ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିଲା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି । ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ ଓ ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।