ଜେଲ ଦଣ୍ଡ ସମାପ୍ତ କରିଥିବା ଦୋଷୀଙ୍କୁ ତୁରନ୍ତ ମୁକ୍ତ କର: ସୁପ୍ରିମକୋର୍ଟ

ଜେଲ ଦଣ୍ଡ ସମାପ୍ତ କରିଥିବା ଦୋଷୀଙ୍କୁ ତୁରନ୍ତ ମୁକ୍ତ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୦୨ ନୀତିଶ କଟାରା ହତ୍ୟା ମାମଲାରେ ଦୋଷୀ ସୁଖଦେବ ପେହଲୱାନଙ୍କୁ ୨୦ ବର୍ଷର ଦଣ୍ଡ ସମାପ୍ତ ହେବା ପରେ ଜେଲରୁ ମୁକ୍ତ କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି, ସୁଖଦେବ ଭଳି ନିଶ୍ଚିତ ମିଆଦ ଜୀବନକାରାଦଣ୍ଡ ପାଇଥିବା ଦୋଷୀଙ୍କୁ ନିର୍ଦ୍ଦିଷ୍ଟ ଅବଧି ସମାପ୍ତ ପରେ ମୁକ୍ତ କରାଯିବ। ଏହା ସହ ମୁକ୍ତି ପାଇଁ ରିମିସନ ଆଦେଶର ଆବଶ୍ୟକତା ନାହିଁ, ଯାହା ସାରା ଜୀବନ ଜେଲରେ କାଟିବାକୁ ଦଣ୍ଡିତଙ୍କ କ୍ଷେତ୍ରରେ ଲାଗୁ ହୁଏ। ଅଦାଲତ ମିଆଦ ସମାପ୍ତ ହୋଇଥିଲେ ମଧ୍ୟ ଜେଲରେ ରହିଥିବା ଅନ୍ୟ ଦୋଷୀଙ୍କ ପାଇଁ ଉଦ୍‌ବେଗ ପ୍ରକାଶ କରି ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବି.ଭି. ନାଗରତ୍ନା ଓ କେ.ଭି. ବିଶ୍ୱନାଥନଙ୍କ ବେଞ୍ଚ କହିଛନ୍ତି, “ଏହି ମନୋଭାବ ଜାରି ରହିଲେ ପ୍ରତ୍ୟେକ ଦୋଷୀ ଜେଲରେ ମରିବେ।”

ଗତ ୨୯ ଜୁଲାଇରେ ଅଦାଲତ ସୁଖଦେବ ୟାଦବ (ପେହଲୱାନ)ଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ, କିନ୍ତୁ ସେଣ୍ଟେନ୍ସ ରିଭିଉ ବୋର୍ଡ ତାଙ୍କ ଆଚରଣକୁ କାରଣ ଦର୍ଶାଇ ମୁକ୍ତି ଅଟକାଇଥିଲେ। ମାର୍ଚ୍ଚରେ ୨୦ ବର୍ଷ ଦଣ୍ଡ ସମାପ୍ତ କରିଥିବା ପେହଲୱାନ ଏହା ବିରୁଦ୍ଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, ଯାହା ତାଙ୍କୁ ମାମଲା ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ୩ ମାସର ଅସ୍ଥାୟୀ ମୁକ୍ତି (ଫର୍ଲୋ) ପ୍ରଦାନ କରିଥିଲା। ଅଦାଲତ ସେଣ୍ଟେନ୍ସ ରିଭିଉ ବୋର୍ଡକୁ ଏହାର ଆଦେଶ ଅମାନ୍ୟ କରିବା ପାଇଁ ତୀବ୍ର ସମାଲୋଚନା କରିଛି। ଦିଲ୍ଲୀ ସରକାରଙ୍କ ପାଇଁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ ଅର୍ଚ୍ଚନା ପାଠକ ଦାଭେ ଯୁକ୍ତି ଦେଇଥିଲେ ଯେ ଜୀବନକାରାଦଣ୍ଡ ଅର୍ଥ ଜୀବନର ଅବଶିଷ୍ଟ ସମୟ ଜେଲରେ କାଟିବା, କିନ୍ତୁ ପେହଲୱାନଙ୍କ ଓକିଲ ସିଦ୍ଧାର୍ଥ ମୃଦୁଲ ଯୁକ୍ତି ଦେଇଥିଲେ ଯେ ଦଣ୍ଡ ମାର୍ଚ୍ଚ ୯ରେ ସମାପ୍ତ ହୋଇଛି ଏବଂ ମୁକ୍ତ ନ କରିବାର କୌଣସି ଯୁକ୍ତି ନାହିଁ।