ଆଧାକାମ ଛାଡ଼ି ଠିକାଦାର ଛୁ’

ନିଆଳିରୁ ଅଞ୍ଜୁଶା ଦାସ :  ତଣ୍ଡିକଣା ଠାରୁ ଭାୟା ପୋହଳ ଦେଇ ନିଆଳି ବ୍ଲକ ଦେବୀକନ୍ଦଳ ଦୀପାଞ୍ଚଳ ଏରଞ୍ଚ ପର୍ଯ୍ୟନ୍ତ ୫ କିମିରୁ ଊଦ୍ଧ୍ୱର୍ ରାସ୍ତାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସାମିଲ କରାଯାଇ ପ୍ୟାକେଜ ନମ୍ବର ଓଆର ୦୭-୩୫୪ ୩ କୋଟି ୨୨ ଲକ୍ଷ ୬୨ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ପ୍ରକଳ୍ପକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦାୟିତ୍ୱରେ ଥିବା ବେଳେ ଉକ୍ତ କାମଟି ଏମ୍ଏସ୍ବ୍ରାଞ୍ଜ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ଼ ଏମ୍ଡି ବ୍ରିଜେସ କୁମାର ନାମରେ ଥିବାବେଳେ ଏହି ରାସ୍ତା କାର୍ଯ୍ୟ ୨୨. ୧୧. ୨୦୨୨ରୁ ଆରମ୍ଭ ହୋଇ ୨୧. ୮. ୨୦୨୩ରେ ଶେଷ ହେବ ବୋଲି ଟେଣ୍ଡରରେ ଉଲ୍ଲେଖ କରାଯାଇଛି । ହେଲେ ରାସ୍ତାର ସମୟ ସୀମା ୧୬ ମାସ ହେବ ପୁରି ସାରିଥିଲେ ମଧ୍ୟ ରାସ୍ତା କାମ ନିର୍ମାଣ କରିବା ତ ଦୂରର କଥା ଠିକାଦାର ୪ ମାସ ହେବ କାମ ଛାଡି ଛୁ’ ମାରିଛି । ଯାହାଫଳରେ ଉକ୍ତ ରାସ୍ତାଟି ଅଧାପନ୍ତରିଆ ହୋଇ ପଡି ରହିଥିବାରୁ ପ୍ରତ୍ୟେକ ଦିନ ଛୋଟ ମୋଟ ଦୁର୍ଘଟଣା ଘଟିବା ସହ ଉକ୍ତ ରାସ୍ତା ଦେଇ ବିଭିନ୍ନ ପଞ୍ଚାୟତକୁ ଯାଉଥିବା ମୋ ବସ୍ ଏକ ପ୍ରକାର ବନ୍ଦ ହୋଇଯାଇଛି । ରାସ୍ତାଟିର ନିର୍ମାଣ ସମୟ ସୀମା ଶେଷ ହୋଇଯାଇଥିଲେ ମଧ୍ୟ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣର ସମୟ ସୀମା ବଢ଼ାଇ ଦିଆଯାଇଥିଲା । ସେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟ ଶେଷ ହୋଇ ସାରିଲାଣି । ଠିକାଦାର ପଳାଇଥିବାରୁ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନେ ଉପରକୁ ହାତ ଟେକି ବସିଛନ୍ତି । ଏହି ରାସ୍ତା ଦେଇ ଅଡସପୁରରୁ ନିଆଳି ବ୍ଲକ ଦେବୀକନ୍ଦଳ ଦୀପାଞ୍ଚଳ ଓ କୁଲଶ୍ରୀ ବ୍ରିଜ୍ ଦେଇ ହଜାର ହଜାର ଗାଡି ଯାତାୟାତ କରିଥାଏ । ଯେତିକି ନୂତନ ରାସ୍ତା ନିର୍ମାଣ କରାଯାଇଛି, ସେ ମଧ୍ୟ ଭଗ୍ନ ଅବସ୍ଥାରେ ପଡ଼ିରହିଛି । ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ଓ ଜନ ସାଧାରଣ "ଶୁଣ ବିଧାୟକ ଆମ ଗୁହାରି’ ବୋଲି କହୁଛନ୍ତି । ଏମିତିକି ବିଧାୟକ ଛବି ମଲିକ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଚାପ ପକାଇ କାମଟି ପୁନର୍ବାର କରିବାକୁ ଦାବି ହେଉଛି । ଏହି ରାସ୍ତା କାମ ପାଇଁ ଉକ୍ତ ବିଭାଗର ଉପରିସ୍ଥ ଅଧିକାରୀ ମାନେ ବାରମ୍ବାର ଆସୁଥିଲେ ମଧ୍ୟ କାମ କରାଯାଉନାହିଁ । ସୂଚନାଥାଉକି, ପୂର୍ବତନ ବିଧାୟକ ଡା. ପ୍ରମୋଦ କୁମାର ମଲିକ କଟକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ରାସ୍ତା ନିର୍ମାଣ ପାଇଁ ୧୬. ୪. ୨୦୨୩ ତାରିଖରେ ଶିଳାନ୍ୟାସ କରିଥିଲେ । ଏ ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ସୋନାଲି ନନ୍ଦଙ୍କୁ ପଚାରିବାରୁ ସମ୍ପୃକ୍ତ ଠିକାଦାର ଜଣକ ଜାନୁଆରୀ ମାସରେ ଶେଷ କରିବେ ବୋଲି ଲିଖିତ ଆକାରରେ ଲେଖିକି ଦେଇଛି । ଯଦି ଏଥିରେ ବ୍ୟତିକ୍ରମ ହୁଏ ନିୟମ ଅନୁଯାୟୀ ସମ୍ପୃକ୍ତ ଠିକାଦାର ପ୍ୟାକେଜକୁ ବାତିଲ କରାଯିବ ।