ପୀତବାସଙ୍କ ହତ୍ୟା ପଛରେ କିଏ?

ପୀତବାସଙ୍କ ହତ୍ୟା ପଛରେ କିଏ?

ଭୁବନେଶ୍ୱର : ଜଣାଣୁଣା ଓକିଲ ତଥା ରାଜନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟିକରିଛି । ଦୁଇ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଫେରାର ହୋଇଯାଇଥିବାବେଳେ ପୁଲିସ୍‌ ଏଯାଏଁ ଟେର ପାଉନାହିଁ । ସେପଟେ ଏହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବାବେଳେ ସରକାରଙ୍କୁ ବିରୋଧୀ ଘେରିଛନ୍ତି । ସେହିପରି ରାଜ୍ୟ ବାର କାଉନସିଲର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିବାବେଳେ ଆସନ୍ତାକାଲି ଆଇନଜୀବୀମାନେ କଲମ ଛାଡ଼ ଆନ୍ଦୋଳନ କରିବେ । ବାର କାଉନସିଲ୍‌ ଅଫ ଇଣ୍ଡିଆ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଆଇନଜୀବୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ କୁହାଯାଇଛି ।

ପୀତବାସ ବ୍ରହ୍ମପୁର ଅଞ୍ଚଳର ଜଣେ ଲୋକପ୍ରିୟ ଓକିଲ ଓ ନେତା ଥିଲେ । ସେ ନ୍ୟାୟ ପାଇଁ ସବୁବେଳେ ଲଢେ଼ଇ କରି ଆସୁଥିଲେ । ରାଜ୍ୟ ବାର କାଉନସିଲର ସଦସ୍ୟ ଭାବେ ସେ ବହୁଭୋଟରେ ବାଜିମାତ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ସେ ଏକାଧିକ ହାଇପ୍ରୋଫାଇଲ୍‌ କେଶରେ ମାମଲା ପରିଚାଳନା କରୁଥିଲେ । ବିଶେଷକରି ଗୋପାଳପୁର ଗଣଦୁଷ୍କର୍ମ ମାମଲାର ଓକିଲ ଥିଲେ । ସେହିପରି ଅନେକ ଆରଟିଆଇ ତଥ୍ୟ ଓ କୋର୍ଟରେ କେଶ୍‌ କରି ସେ ଲୋକଙ୍କ ପାଇଁ ଲଢୁଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ହତ୍ୟାକାଣ୍ଡ ସ୍ଥଳରୁ ସିସିଟିଭି ଗାଏବ ହୋଇଯାଇଛି  । ଫଳରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି । ବାର କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ମନନ ମିଶ୍ର କହିଛନ୍ତିଯେ, ପୀତବାସଙ୍କ ଉପରେ ଆକ୍ରମଣ, ଓକିଲ ସମୁଦାୟ ଉପରେ ଆକ୍ରମଣ । ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ । ଅପରାଧିଙ୍କୁ ଗିରଫ କରିବା ସହ ଫାଶୀ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି । ଏହାଛଡ଼ା ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବଙ୍କୁ ପତ୍ର ଲେଖି ଆଇନଜୀବୀଙ୍କଦ୍ଭ ୁରକ୍ଷା ନିଶ୍ଚିତ କରିବାକୁ କୁହାଯାଇଛି । ଅପରପକ୍ଷରେ ଓଡ଼ିଶା ବାର କାଉନସିଲ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ କହିଛନ୍ତିଯେ, ଆସନ୍ତାକାଲି ରାଜ୍ୟର ୫୦ ହଜାର ଓକିଲ କଲମଛାଡ଼ ଆନ୍ଦୋଳନ କରିବେ । ପୀତବାସଙ୍କ ପରିବାରକୁ କୋଟିଏ ଟଙ୍କାର କ୍ଷତିପୂରଣ ଦିଆଯାଉ ବୋଲି ସେ କହିଛନ୍ତି । ସେହିପରି ୪୮ ଘଣ୍ଟା ଭିତରେ ଅପରାଧିଙ୍କୁ ଗିରଫ କରିବା ସହ ବିଚାରବିଭାଗୀୟ ତଦନ୍ତ କରିବାକୁ ସେ ଦାବି କରିଥିଲେ । ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ପ୍ରଦୀପ ପାଣିଗ୍ରାହୀ, ମନ୍ତ୍ରୀ ବିଭୂତି ଜେନା, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ବ୍ରହ୍ମପୁର ଯାଇ ପୀତବାସଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି। ମନମୋହନ କହିଛନ୍ତିଯେ, ପୀତବାସ ବାବୁଙ୍କ ମୃତ୍ୟୁ ସମାଜ ଓ ଦଳ ପାଇଁ କ୍ଷତି । ସେ ଲୋକଙ୍କ ନ୍ୟାୟ ପାଇଁ ଲଢୁଥିଲେ। ଏ ଘଟଣାରେ ସରକାର ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମନମୋହନ କହିଛନ୍ତି । ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତିଯେ, ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ । ଲୋକେ ନିଜକୁ ଅସୁରକ୍ଷିତ ଭାବିବା ଆରମ୍ଭ କଲେଣି । ନିଜ ଘର ସାମ୍ନାରେ ଠିଆ ହୋଇଥିବା ସମୟରେ ଗଞ୍ଜାମର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଯେପରି ଗୁଳି କରି ହତ୍ୟା କରାଗଲା ତାହା ଅତ୍ୟନ୍ତ ଜଘନ୍ୟ ଓ ଦୁଃଖଦାୟକ। ଦୁଃଖରେ ଭାଙ୍ଗି ପଡିଥିବା ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି । ଏହି ଖବର ସାଧାରଣ ଲୋକଙ୍କୁ ଭୟଭୀତ କରିଦେଇଛି । ସେହିପରି ରାଉରକେଲାରେ ଦୁଷ୍କର୍ମ, କଣାସରେ ଲକ୍ଷ୍ମୀ ବସ ଭିତରେ ଘଟିଥିବା ଅଭାବନୀୟ କାଣ୍ଡ ସାଙ୍ଗକୁ ବାଲେଶ୍ୱରରେ ରାତ୍ରିକାଳୀନ କଟକଣା ସହ ଭାଇଚାରାର ସହର କଟକରେ ସାମ୍ପ୍ରଦାୟିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ପୋଲିସ ଏସଆଇ ନିଯୁକ୍ତିରେ ମହାଘୋଟାଲା ଆଶାୟୀ ଯୁବଗୋଷ୍ଠୀଙ୍କ ମନୋବଳ ଭାଙ୍ଗି ଦେଇଥିବା ବେଳେ ସରକାରୀ ନିଯୁକ୍ତିରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବାରେ ମଧ୍ୟ ରାଜ୍ୟର ବିଜେପି ସରକାର ଅସମର୍ଥ। ଶାନ୍ତିପ୍ରିୟ ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ମଜଭୁତ ରଖିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି; ଯାହାଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରୁଛି । ଅପରାଧ ରୋକିବା ପାଇଁ ସରକାର କାହିଁକି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁନାହାନ୍ତି? ଲୋକଙ୍କ ସ୍ୱାର୍ଥ ପାଇଁ ସରକାର ତତ୍ପର ଓ ସଜାଗ ହେବା ଜରୁରୀ ବୋଲି ନବୀନ କହିଛନ୍ତି ।