ଦୁର୍ଘଟଣାରେ ଆଖିବୁଜିଲେ ୫ ଡାକ୍ତରୀ ଛାତ୍ର

 ଥିରୁବନ୍ତପୁରମ: ଦୁର୍ଘଟଣାରେ ଚାଲିଯାଇଛି ୫ ଡାକ୍ତରୀ ଛାତ୍ରଙ୍କ ଅମୂଲ୍ୟ ଜୀବନ । କାର ଓ ବସ୍ ମଧ୍ୟରେ ହୋଇଥିଲା ମୁହାଁମୁହିଁ ଧକ୍କା । ଫଳରେ ଘଟଣାସ୍ଥଳରେ ହିଁ ଚାଳିଗଲା ୫ ଡାକ୍ତରୀ ଛାତ୍ରଙ୍କ ଜୀବନ । ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି କେରଳରେ । ସୋମବାର ବିଳମ୍ବିତ ରାତିରେ କେରଲର ଅଲପ୍ପୁଝା ସ୍ଥିତ କଲାରକୋଡରେ ଏକ କାର୍ ଓ ଯାତ୍ରୀବାହୀ ବସ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଥିଲା । ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।  କାର୍ରେ ଥିବା ୫ ଜଣ ଏମ୍ବିବିଏସ୍ ଛାତ୍ରଙ୍କ ମୃତୁ୍ୟ ହୋଇଥିବା ବେଳେ ୨ ଛାତ୍ର ଗୁରୁତର  ଆହତ ହୋଇଛନ୍ତି ।
 ଯେଉଁ ସମୟରେ ଏହି ଦୁର୍ଘଟଣା ଘଟିଥିଲା ସେହି ସମୟରେ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ଜାରି ରହିଥିଲା । ଏହି ସମୟରେ ବସ୍ଟି ଦ୍ରୁତ ଗତିରେ ଆସି କାର୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ମୃତକଙ୍କୁ ବାହାର କରିବା ପାଇଁ କାର୍କୁ କଟର୍ରେ କାଟିବାକୁ ପଡିଛି । ମୃତକ ଅଲପ୍ପୁଝାର ଟିଡି ମେଡିକାଲ କଲେଜର ଛାତ୍ର ଥିଲେ । ଏମାନେ ଏମ୍ବିବିଏସ ପ୍ରଥମ ବର୍ଷରେ ପାଠ ପଢୁଥିଲେ । ଏହି ଦୁର୍ଘଟଣାରେ ବସ୍ରେ ଥିବା କିଛି ଯାତ୍ରୀ  ସାମାନ୍ୟ ଆହତ ହୋଇଛନ୍ତି । ସେପଟେ ଗୁରୁତର ଥିବା ଦୁଇ ଜଣ ଛାତ୍ରଙ୍କୁ ବନ୍ଦନମ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ମୃତକମାନେ ହେଲେ ଲାକ୍ଷାଦ୍ୱୀପର ଦେବାନନ୍ଦନ,ମହମ୍ମଦ ଇବ୍ରାହିମ,  ଆୟୁଷ ସାଜି, ଶ୍ରୀଦୀପ ଭାଲସାନ ଓ ମହମ୍ମଦ ଜବାର ।  ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି । ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୂରା ଘଟଣାର ତଦନ୍ତ ଜାରି ରହିଛି ।