ସ୍କୁଲ ପୋଷାକ ବଣ୍ଟନରେ ମହାଦୁର୍ନୀତି

  ନୀଳଗିରି: ଚଳିତ ବର୍ଷ ରାଜ୍ୟ ସରକାର ସ୍କୁଲମାନଙ୍କରେ ପୋଷାକ ବଣ୍ଟନ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିଦେ୍ର୍ଦଶ ଦେଇଥିବାବେଳେ ଅନେକ ମହିଳା ସ୍ୱାବଲମ୍ବୀ ହୋଇପାରିବେ ବୋଲି ଆଶା ଭରସା ରଖିଛନ୍ତି ଓଡ଼ିଶା ସରକାର । ଯେଉଁ ଗୋଷ୍ଠୀରେ ନିଜସ୍ୱ ଟେଲର ମେସିନ ଥିବ, ସେମାନେ ହିଁ ପୋଷାକ ବଣ୍ଟନ କରିପାରିବେ ବୋଲି ସରକାର ନୀତି ନିୟମ ରହିଛି । ମାତ୍ର ନୀଳଗିରି ବ୍ଲକରେ ପୋଷାକ ବଣ୍ଟନରେ ମହାଦୁର୍ନୀତି ହୋଇଥିବାର ଅନେକ ବିଦ୍ୟାଳୟର ସଭାପତିମାନେ ଲିଖିତ ଭାବେ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିବା ଜଣାପଡିଛି । 
ପ୍ରକାଶ ଯେ, ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀର ନିଜର ଭିତ୍ତିଭୂମି ସହ ଟେଲର ମେସିନ ଥିବ ସେହିମାନେ ହିଁ କପଡା ଆଣି ପିଲାମାନଙ୍କ ମାପ ଅନୁସାରେ ପ୍ୟାଣ୍ଟ୍ ସାର୍ଟ ପ୍ରଦାନ କରିବେ ବୋଲି ନିୟମ ରାଜ୍ୟ ସରକାର ଜାରି କରିଛନ୍ତି । ମାତ୍ର ନୀଳଗିରି ବ୍ଲକରେ ଯେଉଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଜିଲ୍ଲା ଶିକ୍ଷାଧିକାରୀ ନୀଳଗିରି ବ୍ଲକ ଶିକ୍ଷାଧିକାରିଙ୍କ ଜରିଆରେ ଚୟନ କରିଛନ୍ତି, ତାହା ନାମକୁ ମାତ୍ର । କାଗଜ କଲମରେ ସ୍ୱଂୟ ସହାୟକ ଗୋଷ୍ଠୀ ପୋଷାକ ବଣ୍ଟନ କରୁଛନ୍ତି ବୋଲି ଦସ୍ତାବିଜ୍ରେ ଠିକ୍ ରହୁଛି । କିଛି ସ୍ୱୟଂ ସହାୟକ ଗୋଷ୍ଠୀ ନିକଟରେ ନା ଅଛି ଭିତ୍ତିଭୂମି ନା ଅଛି ସିଲାଇ ମେସିନ୍ । ଅନ୍ୟ ଯେଉଁ ସ୍ୱଂୟସହାୟକ ଗୋଷ୍ଠୀ ରହିଲେ ସେମାନଙ୍କ ନିକଟରେ କିଛି ସିଲାଇ ମେସିନ୍ ରହିଛି ସତ ହେଲେ କପଡା ନାହିଁ । କାଳେ ମେସିନ୍ ତିଆରିରେ ଲସ୍ ହେବ ଜାଣି ଶେଷରେ ପୋଡ଼ଶୀ କଲିକତାରୁ ନିମ୍ନମାନର ପ୍ୟାଣ୍ଟ ସାର୍ଟ ଆଣି ବାଣ୍ଟୁଛନ୍ତି । ଫଳରେ କୋଉ ପିଲାକୁ ଡ୍ରେସ୍ ହେଉନଥିବା ବେଳେ କୋଉ ପିଲାକୁ ଢିଲା ହେଉଛି । ପ୍ରଥମରୁ ଅଷ୍ଟମ ପିଲାଙ୍କୁ ଦୁଇ ହଳ ଡ୍ରେସ୍ ଦିଆଯିବାର ବ୍ୟବସ୍ଥା  ରହିଥିବାବେଳେ ଅତି ନିମ୍ନମାନର ଡ୍ରେସ୍ ଦେଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥିବା ନେଇ ବହୁ ସ୍କୁଲ ପରିଚାଳନା କମିଟିର ସଭାପତିମାନେ ଲିଖିତ ଭାବେ ନୀଳଗିରି ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ନିମ୍ନମାନର ଡ୍ରେସ୍ ବଣ୍ଟନକୁ ଅନେକ ସ୍କୁଲ ପରିଚାଳନା କମିଟିର ସଭାପତି ପ୍ରତ୍ୟାଖାନ କରିଛନ୍ତି । ଅନ୍ୟପକ୍ଷରେ ନୀଳଗିରି ବିଇଓ ପ୍ରତ୍ୟେକ ପ୍ରଧାନ ଶିକ୍ଷକଙ୍କୁ ଏସବୁ ଡ୍ରେସ୍ ରଖିବା ପାଇଁ ତାଗିଦ୍ କରୁଥିବାର ଶୁଣିବାକୁ ମିଳୁଛି । ସ୍କୁଲ ପରିଚାଳନା କମିଟି ଚାହିଁଲେ ଅନ୍ୟତ୍ର ଡ୍ରେସ୍ ଆଣିପାରିବାର ନିୟମ ଥିବାବେଳେ ସ୍ଥାନୀୟ ବିଇଓ ଏହାକୁ ଖାତିର ନ କରି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କ ଠାରୁ କୁଆଡେ ମୋଟା ଅଙ୍କର ଅର୍ଥ ନେଇ ଧମକ ଚମକ୍ ଦେଉଥିବାର ଶୁଣିବାକୁ ମିଳୁଛି । ବେଙ୍ଗଲ ଦିଦି ଓଡ଼ିଶାକୁ ଆଳୁ ବନ୍ଦ କରିଥିବାବେଳେ ଆମେ କିନ୍ତୁ ବେଙ୍ଗଲରୁ ଡ୍ରେସ୍ ଆଣି ପିଲାମାନଙ୍କୁ ଦେବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ତେବେ ନିମ୍ନମାନର ପୋଷାକ ବଣ୍ଟନ ଉପରେ ତଦନ୍ତ କରିବେ ବୋଲି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ପ୍ରକାଶ କରିଛନ୍ତି । ଏପଟେ ଅନେକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତିମାନେ ବଣ୍ଟନ ହେଉଥିବା ଡ୍ରେସ୍ ସବୁ ପ୍ରତ୍ୟାଖ୍ୟାନ କରିଛନ୍ତି ।