ଡକରିଘାଟି ବସ୍ ଦୁର୍ଘଟଣା: ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା

ଡକରିଘାଟି ବସ୍ ଦୁର୍ଘଟଣା: ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା

କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଡକରି ଘାଟିର ସୁକୁ ନାଳ ନିକଟରେ ଏକ ବସ୍ ଓଲଟି ପଡ଼ିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଛୋଟ ଛୁଆ ମଧ୍ୟ ଅଛନ୍ତି।କୋରାପୁଟ ଡକରିଘାଟି ବସ୍ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଆହତଙ୍କ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ନିଆଳି ଅଞ୍ଚଳର କେତୋଟି ପରିବାର ଏକ ବସ୍ ଭଡ଼ା କରି ରାଜ୍ୟ ବିଭିନ୍ନ ମନ୍ଦିର ଦର୍ଶନରେ ଯାଇଥିଲେ। ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ଗତକାଲି କଳାହାଣ୍ଡିରେ ମା’ ମାଣିକେଶ୍ୱରୀଙ୍କ ଦର୍ଶନ କରିବା ପରେ କୋରାପୁଟର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ଯାଉଥିଲେ। ଆଜି ସକାଳେ ସେମାନେ ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ କରିଥା’ନ୍ତେ। ତେବେ ଭୋରରେ ବସ୍‌ଟି ଡକରି ଘାଟି ପାର ହେଉଥିବା ବେଳେ ସୁକୁ ନାଳ ନିକଟରେ ଓଲଟି ପଡ଼ିଥିଲା।ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଆଉ ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି। ଆହତମାନଙ୍କୁ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣେ ନାବାଳିକାଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ହାତ କଟି ଯାଇଥିବା ଜଣାପଡ଼ିଛି।