ବାଇକ୍‌ ସହ ସ୍କୁଟି ମୁହାଁମୁହିଁ: ଜଣଙ୍କ ମୃତ୍ୟୁ, ୨ ଗୁରତର

କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଛକରେ ବାଇକ୍‌ ସହ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଗଦାପୁର ଗ୍ରାମର ଦମନିକ ଉଠାନସିଂ। ଗୁରୁତର ୨ ଜଣ ହେଲେ ବ୍ରାହ୍ମଣୀଗାଁ ଅଞ୍ଚଳର ରତନ ନାୟକ ଓ ଭଜନ ସିଂ। ଥାନା ଅଧିକାରୀ ବିଜୟ ହାଇବୁରୁ,ଏସ୍‌ଆଇ ଅମରେନ୍ଦ୍ର ସୁବୁଦ୍ଧି, ଏଏସ୍‌ଆଇ ଶଙ୍କର ଓ୍ବାଡାକାଙ୍କ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି।

ପୋଲିସ ସୂଚନା ପ୍ରକାରେ ସୋମବାର ବିଳମ୍ବିତ ରାତିରେ ରତନ ନାୟକ ଓ ଭଜନ ସିଂ ସ୍କୁଟି ଯୋଗେ ଗଦାପୁର ଅଞ୍ଚଳରୁ ନିଜ ଘର ବ୍ରାହ୍ମଣୀଗାଁକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଦମନିକ ଉଠାନସିଂ ବାଇକ୍‌ ଯୋଗେ ବ୍ରାହ୍ମଣୀଗାଁରୁ ନିଜ ଗାଁ ଗଦାପୁରକୁ ଫେରୁଥିଲେ। ଏହି ସମୟରେ ଦୁହିଁଙ୍କ ଗାଡ଼ି ମେରାମାହା ଛକରେ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଫଳରେ ଦମନିକ ଉଠାନସିଂଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ରତନ ନାୟକ ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ଅନ୍ୟତ୍ର ଚିକିତ୍ସା ପାଇଁ ଯିବାକୁ ପରାମର୍ଶ ଦେଇଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।