ଆସାମରେ ଭୟଙ୍କର ବନ୍ୟା


 ଗୌହାଟୀ : ଆସାମରେ ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟିହୋଇଛି  । ୧୦ ପ୍ରମୁଖ ନଦୀ ଏବେ ବିପଦ ସଂକେତ ଉପରେ ରହିଛି  । ବ୍ରହ୍ମପୁତ୍ର ଓ ବାରାକ ଭଳି ନଦୀ ଏବେ ଉଛୁଳିବାରେ ଲାଗିଛି  । ବନ୍ୟା ଯୋଗୁଁ ୧୫ ଜିଲ୍ଲାର ୭୮ ହଜାର ଲୋକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି  ।
କେନ୍ଦ୍ରୀୟ ଜଳ କମିଶନଙ୍କ ପକ୍ଷରୁ ଆସାମ ପାଇଁ ‘ଅରେଞ୍ଜ ବୁଲେଟିନ୍’ ଜାରି କରାଯାଇଛି  । ସାଂଘାତିକ ବନ୍ୟା ହେବାନେଇ ଆକଳନ କରାଯାଇଛି  । ଦିବ୍ରୁଗଡ଼ ଓ ନେମାଟିଘାଟ ଠାରେ ବ୍ରହ୍ମପୁତ୍ର ନଦୀ ବିପଦ ସଂକେତ ଉପରେ ରହିଛି  । ସେହିପରି ଧଳେଶ୍ୱରୀ, ରୁକଣି, କଟାଖାଲ, ବାରାକ, ବୁରିଦେହିଙ୍ଗ, କୁଷିୟାରା, ଧନଶିରି ଓ କୋପିଲିର କେତେକ ସ୍ଥାନରେ ଜଳ ବିପଦ ସଂକେତ ଉପରେ ରହିଛି  । ପ୍ରବଳ ବନ୍ୟା ଯୋଗୁଁ ସଡ଼କ ପରିବହନ ଓ ରେଳ ଯାତ୍ରା ବାଧାପ୍ରାପ୍ତ ହୋଇଛି  । ଅନେକ ଟ୍ରେନ ବାତିଲ କରିବାକୁ ପଡ଼ିଛି  । କାମରୁପ ଜିଲ୍ଲାର ସିଙ୍ଗ୍ରା ଶାଲନିବାରୀ ଠାରେ ଜାତୀୟ ରାଜପଥ-୧୭ ମଧ୍ୟ ପାଣିରେ ବୁଡ଼ିଯାଇଥିବାରୁ ହଜାର ହଜାର ଗାଡ଼ି ରାସ୍ତାର ଦୁଇ ପାଶ୍ୱର୍ରେ ଅଟକି ରହିଛି  । 
 ବନ୍ୟା ସ୍ଥିତି ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଆଲୋଚନା କରିଛନ୍ତି  । କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ସେ କହିଛନ୍ତି  । ସେହିପରି କେତେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ବାୟୁସେନାର ସହଯୋଗ ଲୋଡ଼ାଯାଇଛି  । ବାୟୁସେନା ହେଲିକପ୍ଟର ଜରିଆରେ ବୋମଜିର ନଦୀରେ ଫସି ଯାଇଥିବା ୧୪ ଜଣଙ୍କୁ ଉଦ୍ଧାର କରିଛି  । ପଶ୍ଚିମ ଆସାମର ୩ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରାଯାଇଥିବାବେଳେ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିହୋଇଛି  ।