ପାରାଦୀପ ଶ୍ରମିକ ସଂଗଠନର ଦୁଇ ଫାଳ
ତେଜୁଛି ପାରାଦୀପ ଶ୍ରମିକ ସଂଗଠନର ବିବାଦ । ଦୁଇ ଫାଳ ହେଲା ସଂଗଠନ । ସଂଗଠନ ଗୋଟିଏ, କିନ୍ତୁ ସଭାପତି ପାଇଁ ଦାବିଦାର ଦୁଇଜଣ । ସଭାପତି କିଏ ତାକୁ ନେଇ ତେଜିବାରେ ଲାଗିଛି ବିବାଦ । ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥବା ଦାବି କରିଛନ୍ତି ପ୍ରକାଶ ତ୍ରିପାଠୀ । ତାଙ୍କ ପାଖରେ ଶ୍ରମିକଙ୍କ ସମର୍ଥନ ଥିବା କହିଛନ୍ତି । ସେପଟେ ପଦ ଛାଡ଼ିବାକୁ ନାରାଜ ବାପି ସାର୍ଖେଲ । ଉଭୟଙ୍କ ପାଖରେ ରହିଛି ଶ୍ରମିକଙ୍କ ସମର୍ଥନ । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଦୁଇ ନେତା । ୨୦ ତାରିଖରେ ବାପିଙ୍କ ନାଁରେ ପାରାଦୀପ ଆଦର୍ଶ ଥାନାରେ ଏତଲା ଦେଇଥିଲେ ପ୍ରକାଶ ତ୍ରିପାଠୀ । ବାପି ଅଫିସ ଗୃହର ଚାବି ସହ ବିଭିନ୍ନ କାଗଜପତ୍ର ଫେରାଉ ନଥିବା ନେଇ ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ । ସେପଟେ ୨୧ ତାରିଖରେ ବାପି ସର୍ଖେଲଙ୍କ ସମର୍ଥକ ଥନାକୁ ଯାଇ ପ୍ରକାଶଙ୍କ ବିରୋଧରେ ଏତଲା ଦେଇଛନ୍ତି। ଶିଳ୍ପମନ୍ତ୍ରୀଙ୍କ ଇଙ୍ଗିତରେ ପ୍ରକାଶ ତ୍ରିପାଠୀ ପାରାଦୀପରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ ସଂଗଠନର ସମ୍ପାଦକ ସମୀର ବିଶ୍ବାଳ । ପାରାଦୀପ ବନ୍ଦରରେ କାର୍ୟ୍ୟରତ ଡିଏଲଆର ଶ୍ରମିକଙ୍କ ନ୍ୟାର୍ୟ୍ୟଦାବୀ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ୨୦୧୧ ମସିହାରେ ଗଠନ ହୋଇଥିଲା ପାରାଦୀପ ପୋର୍ଟ ଡିଏଲଆର ଆଣ୍ଡ କଣ୍ଟ୍ରାକ୍ଟ ୱାର୍କମେନ ଆସୋସିଏସନ । ୨୦୧୩ରେ ସଂଘ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ବାପି ସାର୍ଖେଲ । ଏବେ କିନ୍ତୁ ସଭାପତିଙ୍କୁ ନେଇ ଦୁଇଫାଳ ହୋଇଛି ସଂଗଠନ ।