ନବୀନଙ୍କ ଟିମରୁ ବବି ଆଉଟ୍‌ ! 

prabnab prakash das

ନବୀନଙ୍କ ଟିମରୁ ବବି ଆଉଟ୍‌ ! 

ଭୁବନେଶ୍ୱର : ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ  । ଏକଦା ସେ ଥିଲେ ଦଳର ନମ୍ବର ଟୁ  । ନବୀନଙ୍କ ଆଖିକାନ ନାକ ସବୁକିଛି ଥିଲେ  । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଦଳରେ ବବିଙ୍କର ଦବଦବା ଦେଖିବାକୁ ମିଳିଥିଲା  । ଦଳର ସାଂଗଠନିକ ସମ୍ପାଦକ ଭାବେ ସବୁ ଜିଲ୍ଲା ବୁଲି ସେ ନେତାଙ୍କୁ ଏକାଠି କରୁଥିଲେ  । ତେବେ ବବି ଦାସ ଚବିଶ ନିର୍ବାଚନ ପରେ ମୁଣ୍ଡ ଟେକି ବାଟ ଚାଲିପାରୁନାହାନ୍ତି  । ସେ ନିଜେ ସମ୍ବଲପୁରରେ ହାରିଥିବାବେଳେ ତାଙ୍କ ମା’ ମଧ୍ୟ କୋରେଇରେ ପରାସ୍ତ ହୋଇଛନ୍ତି  । ଦଳର ବିପର୍ଯ୍ୟୟ ପାଇଁ ଅନେକ ନେତା ତାଙ୍କୁ ହିଁ ଦାୟୀ କରୁଛନ୍ତି  । ଏବେ ନବୀନ ତିନୋଟି ବଡ଼ କମିଟି ଗଠନ କରିଛନ୍ତି  । କିନ୍ତୁ ସେହି କମିଟିରେ ତାଙ୍କୁ ନିଆଯାଇନାହିଁ  । ନବୀନ ତାଙ୍କୁ ଟିମରୁ ଆଉଟ୍‌ କରିଦେଲେ ନା ତାଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯିବ ତାହାକୁ ନେଇ ଚର୍ଚ୍ଚା ଜୋରଧରିଛି  ।

ନିକଟରେ ନବୀନ ବାବୁ ତିନୋଟି ବଡ଼ କମିଟି ଗଢ଼ିଛନ୍ତି  । ଗୋଟିଏ କମିଟିର ଆବାହକ ଅଛନ୍ତି ପ୍ରସନ୍ନ ଆଚାର୍ଯ୍ୟ  । ଅନ୍ୟ ଦୁଇଟିର ଆବାହକ ରହିଛନ୍ତି ଅତନୁ ସବ୍ୟସାଚୀ ନାୟକ ଓ ସଂଜୟ କୁମାର ଦାସବର୍ମା  । କିନ୍ତୁ ଆଶ୍ଚର୍ଯ୍ୟର କଥା ପ୍ରଣବ ପ୍ରକାଶ ଦାସ କିନ୍ତୁ କମିଟିରେ ରହିନାହାନ୍ତି  ।

ଆସନ୍ତା ୨୭ରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିବେ  । ଦଳର ଏକ ଉଚ୍ଚସ୍ତରୀୟ ବୈଠକରେ ନବୀନ କ’ଣ ଘୋଷଣା କରିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ଇତିମଧ୍ୟରେ ନବୀନ ୨୦ଟି ଜିଲ୍ଲାର ସାଂଗଠନିକ ବୈଠକ କରିଛନ୍ତି  । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏବେଠାରୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି  । ପଦଯାତ୍ରା, ସଭ୍ୟ ସଂଗ୍ରହ, ପଦାଧିକାରୀ ଚୟନ ଓ ନୂଆ କମିଟି ଗଠନ ମଧ୍ୟ କରାଯିବ  । ନିକଟରେ ନବୀନ ତିନୋଟି ଗୁରୁତ୍ୱପୂର୍ଣ୍ଣ କମିଟି ଗଠନ କରିଛନ୍ତି  । କମିଟିରେ ବହୁ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି  । ସବୁ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଥିବାବେଳେ ବିଜେଡ଼ିର ରଣନୀତି ନେଇ ନବୀନ ନେତାଙ୍କୁ ଟିପସ ଦେବେ  । ନବୀନ ନିବାସରେ ଏଥିପାଇଁ ଭିକେ ପାଣ୍ଡିଆନ୍‌ ରଣନୀତି କରୁଛନ୍ତି  । ବିଜେଡ଼ିର ରଣନୀତି ଉପରେ ବିଜେପିର ମଧ୍ୟ ନଜର ରହିଛି  । ନିକଟରେ କଂଗ୍ରେସ ଓ ବିଜେଡ଼ି ମେଣ୍ଟ ନେଇ ଦେବାଶିଷ ସାମନ୍ତରାୟଙ୍କ ମନ୍ତବ୍ୟକୁ ବି ଦଳ ଗୁରୁତର ସହ ଗ୍ରହଣ କରିଛି  ।