ଜିଲ୍ଲା ଓକିଲ ସଂଘ ନିର୍ବାଚନ  : ବାଜି ମାରିଲେ ବିଜେଡି ସମର୍ଥିତ ପାର୍ଥୀ

 ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ବିଜୁ ଲିଗାଲ୍ ଫ୍ରଣ୍ଟର ସମସ୍ତ ପାର୍ଥୀ ବିଜୟୀ ହୋଇଛନ୍ତି  । ଏହି ଓକିଲ ସଂଘ ନିର୍ବାଚନରେ ବିଜେପି ସମର୍ଥିତ ପାର୍ଥୀମାନେ ପରାଜିତ ହୋଇଛନ୍ତି  । ଜଗତସିଂହପୁର ଜିଲ୍ଲାରେ ସ୍ଥାନୀୟ ଜଗତସିଂହପୁର ବିଧାୟକ ଓ ପାରାଦୀପ ବିଧାୟକ ତଥା ମନ୍ତ୍ରୀ ଥିବାବେଳେ ବିଜେପି ପ୍ୟାନେଲର ପାର୍ଥୀମାନେ ବହୁ ଭୋଟ ବ୍ୟବଧାନରେ ହାରିବା ଦଳ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି  । ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲା ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି  । ମୋଟ ୩୭୩ ଜଣ ଭୋଟରଙ୍କ ମଧ୍ୟରୁ ୩୪୨ ଜଣ ଓକିଲ ତାଙ୍କର ମତ ଦେଇଥିଲେ  । ଏହି ନିର୍ବାଚନରେ ବରିଷ୍ଠ ଆଇନଜୀବୀ ସୁବାଷ ଭୂଷଣ ମହାପାତ୍ର ସଭାପତି ନିର୍ବାଚିତ ହୋଇଥିବା ବେଳେ ପ୍ରସନ୍ନ ମହାନ୍ତି ସମ୍ପାଦକ ଭାବେ ବିଜୟ ଲାଭ କରିଛନ୍ତି  । ସେହିପରି ଉପସଭାପତି ଭାବେ ସରୋଜ ବିଶ୍ୱାଳ, ଯୁଗ୍ମ ସମ୍ପାଦକ ଜ୍ଞାନ ରଞ୍ଜନ ମହାନ୍ତି ଓ କୋଷାଧ୍ୟକ୍ଷ ଭାବେ ଅଲେଖ ଚରଣ ବାରିକ ନିର୍ବାଚିତ ହୋଇଛନ୍ତି  । ଏହି ବିଜୟ ସମସ୍ତ ଓକିଲ ବନ୍ଧୁ ମାନଙ୍କର ବୋଲି ସଭାପତି କହିଥିବାବେଳେ ବାର ଆସୋସିଏସନ ଗୃହକୁ ସଂପୂର୍ଣ୍ଣ କରିବା, ବାରର ଲାଇବ୍ରେରୀ, ହେଲଥ୍ କାର୍ଡ ଆଦି ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବ ବୋଲି ନବ ନିର୍ବାଚିତ ପ୍ରତିନିଧିମାନେ କହିଛନ୍ତି  । ଏହି ନିର୍ବାଚନରେ ସମସ୍ତ ନବ ନିର୍ବାଚିତ ପ୍ରତିନିଧିମାନେ ବିଜୁ ଲିଗାଲ୍ ଫ୍ରଣ୍ଟର ବୋଲି ଜଣାଯାଇଛି  । ଓକିଲ ସଂଘ ସଭାପତି ଭାବରେ ସୁବାଷ ଭୂଷଣ ମହାପାତ୍ର ୧୬୫ ଖଣ୍ଡ ଭୋଟ ପାଇଥିବା ବେଳେ ରବିନ୍ଦ୍ର ମହାନ୍ତି ୯୭ ଓ ଲିଙ୍ଗରାଜ ମହାନ୍ତି ୭୯ ଖଣ୍ଡ ଭୋଟ ପାଇଛନ୍ତି  । ସେହିପରି ଉପସଭାପତି ସରୋଜ ବିଶ୍ୱାଳ ୨୦୧ ଭୋଟ ପାଇଥିବା ବେଳେ ଅମିୟ ମହାପାତ୍ର ୧୨୮ ଭୋଟ ପାଇଥିଲେ  । ଏହି ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ଶ୍ରୀକାନ୍ତ ନନ୍ଦ, ସହକାରୀ ନିର୍ବାଚନ ଅଧିକାରୀ ଭାବେ ସଲିଳ ଘୋଷ, ଏସକେ ଖୁରସିଦ ଅଲ୍ଲୀ, ପ୍ରାର୍ଥ ସାରଥୀ ଦାସ, ଯଦୁମଣି ବିଶ୍ୱାଳ, ଚନ୍ଦ୍ରଶେଖର ନାୟକ ପ୍ରମୁଖ ନିର୍ବାଚନ ପରିଚାଳନା କରିଥିବାବେଳେ ନିର୍ବାଚିତ ପ୍ରତିନିଧି ଓ ଉପସ୍ଥିତ ସହକର୍ମୀଙ୍କ ମଧ୍ୟରେ ମିଷ୍ଠାନ୍ନ ବଣ୍ଟନ କରିଥିଲେ  । ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କୁ ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ଶୁଭେଚ୍ଛା ଜଣାଇଥିଲେ ।