ଗ୍ୟାସ୍ ଯୋଗାଣରେ ବ୍ୟାପକ ଅନିୟମିତତା, କାର୍ଯ୍ୟାନୁଷ୍ଠାନ ଦାବି

 ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଡିଏସଏମଏସ ମାଧ୍ୟମରେ ଘରୋଇ ରନ୍ଧନ ଗ୍ୟାସ ବିତରଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଅନେକ ସମୟରେ ହିତାଧିକାରୀ ଅଭିଯୋଗ କରି ଆସୁଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ କୌଣସୀ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଏହି ଦୁର୍ନୀତି ଦିନକୁ ଦିନ ବଢିବାରେ ଲାଗିଛି । ଏହି ଦୁର୍ନୀତିରେ ଜିଲ୍ଲାର ବହୁ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିମାନେ ସାମିଲ ହୋଇଥିବାରୁ ସାଧାରଣ ଲୋକ ଓ ଅଫିସର ମୁହଁ ଖୋଲିବା ପାଇଁ ଭୟଭୀତ ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏପରିକି କିଛି ହିତାଧିକାରୀଙ୍କୁ ଏହି ଦୁର୍ନୀତିକୁ ବିରୋଧ କରୁଥିବାରୁ ସେମାନଙ୍କୁ ଗ୍ୟାସ ଦେବାକୁ ନାନା ପ୍ରକାର ହଇରାଣ ହରକତ ସହିତ ଧମକ ଦେଉଛନ୍ତି ଗ୍ୟାସ ବିତରଣ ଦାୟିତ୍ୱରେ ଥିବା ସଂଗଠନ । 
ଜିଲ୍ଲାରେ ମୋଟ ୧୫ଟି ସଂସ୍ଥା ଏହି ଗ୍ୟାସ ବିତରଣ ଦାୟିତ୍ୱ ନେଇଛନ୍ତି । ବିଶେଷ ଭାବରେ କେତେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏହି ଗ୍ୟାସ ବିତରଣ ଦାୟିତ୍ୱ ଜିଲ୍ଲା ପ୍ରଶାସନ ପ୍ରଦାନ କରିଛି । ଗ୍ୟାସ ବିତରକ ପାଇଁ ନିଯୁକ୍ତି ସ୍ୱୟଂ ସହାୟକ ଗୋଷ୍ଠୀମାନେ ଘରେ ଘରେ ଗ୍ୟାସ ପହଂଚାଇବା ପାଇଁ ପ୍ରତେକ ସିଲିଣ୍ଡର ପିଛା ୩୫ ଟଙ୍କା ସରକାର ପକ୍ଷରୁ ପାଉଥିବା ବେଳେ ଉକ୍ତ ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ । ମାତ୍ର ଜଗତସିଂହପୁର ଜିଲ୍ଲାରେ ନିଯୁକ୍ତି ଗ୍ୟାସ ବିତରକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାକୁ ନ ଯାଇ ତଞ୍ଚକତାର ସହିତ ସଭାପତି ଓ ସମ୍ପାଦିକାମାନେ ହାତରେ କମିଶନ ବାବଦକୁ ଲକ୍ଷାଧିକ ଟଙ୍କା ନିଜ ପକେଟର ପୁରାଇଥାନ୍ତି । ଯାହାକୁ ନେଇ ସାଁପୁର ଗ୍ୟାସ ବିତରକ ସଂସ୍ଥାରେ ସାମିଲ ଥିବା ଅନ୍ୟ ମହିଳା ସଦସ୍ୟମାନେ ବହୁବାର ପାଟିତୁଣ୍ଡ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି । ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ରୋଜଗାର ଦେଇ ସ୍ୱାବଲମ୍ବୀ କରିବାପାଇଁ ଯୋଜନା ପ୍ରଣୟନ କରିଛନ୍ତି । ସେହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ମଧ୍ୟରୁ କେତେକ କୁଚକ୍ରି କର୍ମକର୍ତ୍ତାମାନେ ଅନ୍ୟ ସଦସ୍ୟା ମାନଙ୍କୁ ଅନ୍ଧାରରେ ରଖି ବ୍ୟାପକ ଆର୍ଥôକ ହେରଫେର କରିଥାନ୍ତି ବୋଲି ଅନୁସନ୍ଧାନରୁ ଜଣାଯାଇଛି । ଜିଲ୍ଲାରେ ୧୫ ସ୍ୱୟଂ ସହାୟକ ଗୋଷ୍ଠୀ ଗ୍ୟାସ ବିତରକ ଭାବେ ନିଯୁକ୍ତି ପାଇଛନ୍ତି । ଏହି ୧୫ ସ୍ୱୟଂ ସହାୟକ ଗୋଷ୍ଠୀ ନିଯୁକ୍ତି ହୋଇଥିବା ବେଳେ ୧୬୦ ଜଣ ମହିଳା ଉପକୃତ ହୁଅନ୍ତି ବୋଲି କର୍ମକର୍ତ୍ତା ମାନେ ସଫେଇ ଦେଇଥାନ୍ତି  । ମାତ୍ର ତାହା ବାସ୍ତବରେ ନ ହୋଇ କେବଳ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସଂପାଦିକା ମାନେ ଏହାର ଫାଇଦା ନେଇଥାନ୍ତି ବୋଲି ଅଭିଯୋଗ ହୋଇଥିଲା । ଯାହାଫଳରେ ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀ ଏକ ବୈଠକ ଡାକିିଥିଲେ । ମାତ୍ର ଉକ୍ତ ବୈଠକରେ ୧୫ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ମେମ୍ବର ନ ଆସି ମାତ୍ର ୧୫ଜଣ ହାତ ଗଣତି ଆସିଥିଲେ । ସେମାନଙ୍କ ମଧ୍ୟରୁ ତ୍ରିନାଥ ଏସଏସଜିର ୨ଜଣ, କନକ ଦୁର୍ଗା ଏସଏଚଜିର ୨, ଗାଦି ଗୋସ୍ୱାମୀର ୪, ଯୁଗ ଜ୍ୟୋତିର ୩ , ମା ମଙ୍ଗଳାଏସଏସଜିର ୧, ଲୋକନାଥ ଏସଏସଜିର ୩ ଓ ଯୁମୁନି ସ୍ୱୟଂ ସହାୟକ ଗୋଷ୍ଠୀର ୧ ଜଣ ସଭ୍ୟ ଉପସ୍ଥିତ ରହିଥିଲେ । ଅନ୍ୟ ୧୪୫ ଜଣ ସଦସ୍ୟାମାନେ ବୈଠକ ବାବଦରେ ଜାଣି ନଥିବାରୁ ଆସି ନଥିବା ଜଣାପଡିଛି । ଅନ୍ୟପକ୍ଷରେ ପ୍ରତି ୨ ବର୍ଷରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିଯୁକ୍ତି କରାଯାଇ ଗ୍ୟାସ ବିତରଣ କରାଯିବା ଦାୟିତ୍ୱ ପ୍ରଦାନ ପାଇଁ ସରକାରୀ ନିୟମ ରହିଥିବାବେଳେ ଦୀର୍ଘ ୨୦ ବର୍ଷ ହେବ ନିର୍ଦ୍ଧିଷ୍ଟ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଏହାର ଫାଇଦା ନେଉଛନ୍ତି । କାହା ଚାପରେ ପରିବର୍ତ୍ତନ କରାନଯାଇ ଉକ୍ତ ନିର୍ଦ୍ଧିଷ୍ଟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦୀର୍ଘ ବର୍ଷ ହେବ ଗ୍ୟାସ ବିତରଣରେ ଦାୟିତ୍ୱରେ ନିଯୁକ୍ତି କରାଯାଇଛି ତାହା ଏବେ ବଡ଼ ପ୍ରଶ୍ନ ହୋଇ ଉଠିଛି । ଗ୍ୟାସ ବିତରକ ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନେ ସରକାରଙ୍କ ଠାରୁ ଗ୍ୟାସ୍ ନେଇ ବିକ୍ରି କରି ବେଶ୍ ଲାଭବାନ ହୋଇଥିଲେ ହେଁ ଗ୍ୟାସ ଟଙ୍କା ପଇଠ ଠିକ୍ ଭାବରେ କରୁନଥିବାରୁ ଏବେ ବି ଲକ୍ଷାଧିକ ଟଙ୍କା ପଡିରହିଛି । ଏପରିକି ୩୦୦ରୁ ଊଦ୍ଧ୍ୱର୍ ଗ୍ୟାସ ସିଲିଣ୍ଡରର ହିସାବ ମିଳୁ ନଥିବାରୁ ବିଭାଗୀୟ ଅଧିକାରୀ ଏବେ ହରଡଘଣାରେ ପଡିଛନ୍ତି । ତେବେ ଗ୍ୟାସ ସିଲିଣ୍ଡର ଗଲା କୁଆଡେ? ଜଗତସିଂହପୁର ଜିଲ୍ଲାରେ ସଦର ବ୍ଲକ ସାଁପୁର ଠାରେ ଥିବା ଗ୍ୟାସ ବିତରଣ ଦାୟିତ୍ୱରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଘଟଣାକୁ ନେଇ ଏବେ ଖୋଳତାଡ କରାଯାଇଥିଲା । ଘଟଣା ପଦାକୁ ଆସିବା ପରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରଚ୍ଛଦ ପଟରେ ଥିବା ଜଣେ ସରକାରୀ ଚାକିରିଆ ହୋଇ ନିଜକୁ ଶାସକ ଦଳର କର୍ମୀ  ଓ ନିଜ ପନôୀ ଜଣେ ଶାସକ ଦଳର ପଦବୀରେ ଥିବାରୁ ଉଭୟ ନିଜକୁ ବିଧାୟକ ଓ ମନ୍ତ୍ରୀଙ୍କ ପାଖ ଲୋକ କହି ଅଫସ କର୍ମଚାରୀଙ୍କୁ ଧମକ ଦେଉଛନ୍ତି ବୋଲି ବିଶେଷ ସୁତ୍ରରୁ ଜଣାଯାଇଛି । ଏହି ଘଟଣାକୁ ନେଇ ଅଫିସ ପକ୍ଷରୁ ବିଧାୟକ ଓ ମନ୍ତ୍ରୀଙ୍କୁ ସମସ୍ତ ବିଷୟରେ ଜଣାଇବା ପରେ ନିୟମ ଅନୁଯାୟୀ କାର୍ଯ୍ୟ ହେବ ବୋଲି କହିଥିଲେ । ମାତ୍ର ପରେ ଜଣେ ବରିଷ୍ଠ ଶାସକ ଦଳର ନେତାଙ୍କ ଚାପରେ ଘଟଣାକୁ ଚପାଇ ଦିଆଯାଇଛି । ତେବେ ଶାସକ ଦଳ ଚାପରେ କ’ଣ ଅନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ବଳି ପଡିବେ ବୋଲି ସାଧାରଣରେ ଆଲୋଚନା ହେଉଛି । ତେଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।