ଭାରତର ପ୍ରଥମ ବେସରକାରୀ AI ବିଶ୍ୱବିଦ୍ୟାଳୟ ଖୋଲିଲା

 ଉତ୍ତର ପ୍ରଦେଶର ଉନ୍ନାଓରେ ଭାରତର ପ୍ରଥମ ବେସରକାରୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍‌ AI ସମନ୍ୱିତ ବହୁ-ବିଷୟକ ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ କରାଯାଇଛି । ଏହି ବିଶ୍ୱବିଦ୍ୟାଳୟଟି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ଥାପିତ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିଛନ୍ତି । ଏହି ପଦକ୍ଷେପ ରାଜ୍ୟରେ ଶିକ୍ଷା, ସୁରକ୍ଷା, କୃଷି, ପ୍ରଶାସନ ଏବଂ ଶିଳ୍ପ ଭଳି ବିଭିନ୍ନ କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସକୁ କାର୍ଯ୍ୟକାରୀ କରିବାର ଏକ ଅଂଶବିଶେଷ । ବିଶ୍ୱବିଦ୍ୟାଳୟ ସ୍ଥାପନର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟରେ ବୈଷୟିକ କୌଶଳର ବିକାଶକୁ ସମର୍ଥନ କରିବା । "AI ପ୍ରଜ୍ଞା" ହେଉଛି ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଯୋଜନା । ଏହାର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟର ୧୦ ଲକ୍ଷ ଲୋକଙ୍କୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଡାଟା ଆନାଲିଟିକ୍ସ, ମେସିନ୍ ଲର୍ଣ୍ଣିଂ ଏବଂ ସାଇବର ସୁରକ୍ଷା କ୍ଷେତ୍ରରେ ପ୍ରଶିକ୍ଷିତ କରିବାକୁ ଯୋଜନା ରଖିଛନ୍ତି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୁବକ, ଶିକ୍ଷକ, ଗ୍ରାମର ମୁଖିଆ, ସରକାରୀ କର୍ମଚାରୀ ଏବଂ କୃଷକମାନଙ୍କୁ ସାମିଲ କରାଯିବ । ଏହି ପ୍ରଶିକ୍ଷଣ ମାଇକ୍ରୋସଫ୍ଟ, ଇଣ୍ଟେଲ, ଗୁଗଲ୍‌ ଏବଂ ଗୁଭି ଭଳି ପ୍ରମୁଖ କମ୍ପାନିଗୁଡ଼ିକର ସହଭାଗିତାରେ ପ୍ରଦାନ କରାଯିବ । ପ୍ରତି ମାସରେ ୧.୫ ଲକ୍ଷ ଲୋକଙ୍କୁ ତାଲିମ ଦେବାର ଲକ୍ଷ୍ୟ ରଖାଯାଇଛି ।

ବିଶ୍ୱ ବ୍ୟାଙ୍କ ସହାୟତାରେ ୪,୦୦୦ କୋଟି ଟଙ୍କାର ୟୁପି-ଏଗ୍ରିସ୍ ପରିଯୋଜନା ମାଧ୍ୟମରେ ୧୦ ଲକ୍ଷ କୃଷକଙ୍କୁ AI-ଆଧାରିତ ସମାଧାନ ଯୋଗାଇ ଦିଆଯାଉଛି । ଏଥିରେ ସ୍ମାର୍ଟ ଜଳସେଚନ ପ୍ରଣାଳୀ, ଡ୍ରୋନ୍-ଆଧାରିତ ଜମି ମାନଚିତ୍ର ଏବଂ କୀଟ ଚିହ୍ନଟ ଉପକରଣ ଭଳି ପ୍ରଯୁକ୍ତିବିଦ୍ୟା ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପ ୧୦,୦୦୦ ମହିଳା ଗୋଷ୍ଠୀଙ୍କୁ ମଧ୍ୟ ସଂଯୁକ୍ତ କରିଛି ଏବଂ କୃଷକ-ଉତ୍ପାଦକ ସଂଗଠନଗୁଡ଼ିକୁ ଡିଜିଟାଲ୍ ବଜାର ସହ ଯୋଡ଼ିବାରେ ସାହାଯ୍ୟ କରୁଛି । ଏହି ବିଶ୍ୱବିଦ୍ୟାଳୟ ଲକ୍ଷ୍ନୌରେ ନିର୍ମାଣ ହେବାକୁ ଥିବା ଭାରତର ପ୍ରଥମ AI ସିଟି ନିକଟରେ ଅବସ୍ଥିତ । ଯାହା ଭବିଷ୍ୟତରେ ଏହାକୁ ଅଭିନବତା ଏବଂ ଗବେଷଣାର ଏକ ପ୍ରମୁଖ କେନ୍ଦ୍ର ଭାବରେ ଗଢିତୋଳିବ ।