ଭାରତ ଫେରି ଅନୁଭୂତି ବଖାଣିଲେ ଅନୁପ୍ରବେଶକାରୀ: ଖାଇବା ପିଇବା ଦିଆଯାଉନଥିଲା
ଗତ ରବିବାର ତୃତୀୟ ପର୍ଯ୍ୟାୟରେ ଆମେରିକାରୁ ଭାରତ ଫେରିଛନ୍ତି ଭାରତୀୟ ଅନୁପ୍ରବେଶକାରୀ । ୧୧୬ଜଣ ଭାରତୀୟଙ୍କୁ ଧରି ଅମୃତଶର ବିମାନବନ୍ଦରରେ ପହଞ୍ଚିଛି ଆମେରିକା ବିମାନ । ସବୁଠୁ ବଡକଥା ହେଲା ଭାରତ ଫେରିଥିବା ୧୧୬ଜଣଙ୍କ ହାତରେ ହାତକଡି ପକାଇ ଭାରତ ପଠାଯାଇଛି । ଏହି ୧୬ଜଣଙ୍କ ମଧ୍ୟରେ ଆସିଥିବା ୨୫ବର୍ଷିୟ ମନଦୀପ୍ ଗଣମାଧ୍ୟମ ଆଗରେ ତାଙ୍କର ଆଭିଜ୍ଞତା ବଖାଣିଛନ୍ତି ।
ମନଦୀପ କହିଛନ୍ତି, ଆମେରିକାରୁ ଭାରତ ଆଣିବା ସମୟରେ ତାଙ୍କୁ ବହୁ ଅତ୍ୟାଚାରର ସାମ୍ନା କରିବାକୁ ପଡିଛି । ତାଙ୍କୁ ପ୍ରବଳ ଭୋକ ହେଉଥିଲେ ବି ତାଙ୍କୁ କମ୍ ଖାଦ୍ୟ ଓ ପିଇବା ପାଇଁ ଖୁବ୍ କମ୍ ପାଣି ଦିଆଯାଇଥିଲା । ସବୁଠୁ ବଡ କଥା ହେଉଛି ଶୌଚାଳୟ ଯିବା ସମୟରେ ବି ହାତକଡି ଓ ଶିକୁଳି ପିନ୍ଧିକି ଯିବାକୁ ପଡୁଥିଲା । ମନଦୀପ ଆହୁରି କହିଛନ୍ତି ଯେ, ଏହି ନାଗରିକମାନଙ୍କୁ ଆମେରିକୀୟ ପ୍ରଶାସନ ଅନେକ ଅପମାନଜନକ ଅବସ୍ଥାରେ ରଖିଛି । ୧୫ ଦିନ ପର୍ୟ୍ୟନ୍ତ ତାଙ୍କୁ ଗାଧୋଇବାକୁ ସୁଯୋଗ ଦିଆଗଲା ନାହିଁ କି ଦାନ୍ତ ଘଷିବାକୁ ମଧ୍ୟ ଅନୁମତି ଦିଆଗଲା ନାହିଁ । ଏହି ପ୍ରକାରର ଆଚରଣ ଭାରତୀୟ ନାଗରିକଙ୍କ ପାଇଁ ଅତ୍ୟନ୍ତ ମାନସିକ ଯନ୍ତ୍ରଣା ସୃଷ୍ଟି କରିଥିଲା ଏବଂ ସେମାନେ ଏହି ଅଭିଜ୍ଞତାକୁ ଜୀବନସାରା ଭୁଲିପାରିବେ ନାହିଁ ।