ହତ୍ୟା ମାମଲା ରଫାଦଫା ପାଇଁ ଧମକ, ଥାନାରେ ଅଭିଯୋଗ 

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଘଟିଥିବା ଏକ ହତ୍ୟା ମାମଲାକୁ ରଫାଦଫା ପାଇଁ ଧମକ ଦେଇଛନ୍ତି ଉକ୍ତ ହତ୍ୟାକାଣ୍ଡର ଅଭିଯୁକ୍ତ । ହତ୍ୟାକାଣ୍ଡର ଶିକାର ହୋଇଥିବା  ମହିଳାଙ୍କ ପୁଅକୁ ପୁଣି ଥରେ ହତ୍ୟା ଧମକ ଦେଇଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । 
ଅଭିଯୋଗରୁ ପ୍ରକାଶ ଯେ,୨୦୧୭ ମସିହା ଜୁଲାଇ ୪ରେ ହିଞ୍ଜିଳି ଥାନା ରଙ୍ଗୁଣିପଲୀ ଗାଁ ଦାଣ୍ଡରେ  କେ ସାବିତ୍ରୀ ନାମକ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା ।  ଏହି ହତ୍ୟାକାଣ୍ଡରେ ଉକ୍ତ ଗାଁର ଏସ ଜଗନ୍ନାଥ ଅଭିଯୁକ୍ତ ଥିଲେ । ସମ୍ପତ୍ତି ଲୋଭ ଓ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତା ସାବିତ୍ରୀଙ୍କ ଦିଅର କେ ରବୀନ୍ଦ୍ରଙ୍କ ଅଭିଯୋଗ କ୍ରମେ ସେତେବେଳେ ହିଞ୍ଜିଳି ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା । ଉକ୍ତ ଘଟଣା ପରେ ଫେରାର ଥିବା ଅଭିଯୁକ୍ତ ଏସ ଜଗନ୍ନାଥଙ୍କୁ ତକôାଳୀନ ପୁଲିସ ଆଇଆଇସି ପ୍ରଶାନ୍ତ କୁମାର ସାହୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ମାମଲା କୋର୍ଟରେ ବିଚାରାଧୀନ ଥିବା ବେଳେ ହତ୍ୟାକାଣ୍ଡର ଅଭିଯୁକ୍ତ ଏସ ଜଗନ୍ନାଥ  ଜେଲରୁ ବେଲରେ ମୁକୁଳିଛି । ତେବେ ଅଭିଯୁକ୍ତ ଏସ ଜଗନ୍ନାଥଙ୍କ କୋର୍ଟରେ ଥିବା ଉକ୍ତ ବିଚାରାଧୀନ ହତ୍ୟା ମାମଲାକୁ ରଫାଦଫା କରିବାକୁ ମୃତା ମହିଳାଙ୍କ ସ୍ୱାମୀ କେ ଗୋପାଳଙ୍କୁ କିଛି ଦିନ ତଳେ ଧମକ ଦେଇଥିଲେ । ବାପା କେ ଗୋପାଳ ଓ କକା କେ ରବୀନ୍ଦ୍ରଙ୍କୁ କହି ମାମଲା ରଫାଦଫା ନ କଲେ କେ କ୍ରିଷ୍ଣାଙ୍କୁ ହତ୍ୟା କରିବା ପାଇଁ ଏସ ଜଗନ୍ନାଥ ଧମକ ଦେଇଥିବା ନେଇ ଶନିବାର ଥାନାରେ କେ କ୍ରିଷ୍ଣା ଅଭିଯୋଗ କରିଛନ୍ତି ।