ଆଦିବାସୀଙ୍କୁ ରୋଜଗାର ଯୋଗାଉଛି ବାଉଁଶ ସାମଗ୍ରୀ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ ଭାବେ ପରିଚିତ । ଏଠାରେ ପ୍ରାୟ ୯୦ ପ୍ରତିଶତ ଆଦିବାସୀ ଲୋକ ବସବାସ କରନ୍ତି । ପ୍ରାୟ ଆଦିବାସୀ ପରିବାର ରୋଜଗାର ପାଇଁ ଜଙ୍ଗଲ ଜାତୀୟ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ବେଳେ କିଛି ଆଦିବାସୀ ପରିବାର ଲୋକଙ୍କ ଆବଶ୍ୟକତାକୁ ନେଇ ବିଭିନ୍ନ ପନ୍ଥା ଅବଲମ୍ବନ କରି ରୋଜଗାର କରୁଛନ୍ତି ।
ସେଥିମଧ୍ୟରୁ ବାଉଁଶ ସାମଗ୍ରୀ ନିର୍ମାଣ କରି ରୋଜଗାର କରିବା ଅନ୍ୟତମ । ଏଠାକାର ଆଦିବାସୀ ମାନେ ପ୍ରଥମେ ଗ୍ରାମରେ ଥିବା କିମ୍ବା ଆଖପାଖରେ ଥିବା ବାଉଁଶ ଗଛକୁ କ୍ରୟ କରି ଘରକୁ ନେଇ ଆସନ୍ତି । ପରେ ପରିବାର ଲୋକ ସମସ୍ତେ ମିଶି ବାଉଁଶ ଗଛକୁ ଛୋଟ ଛୋଟ ଆକାରରେ କାଟି ଦିଅନ୍ତି । ପରେ କୌଶଳ କ୍ରମେ ଛୋଟ ବଡ଼ କଟା ବାଉଁଶରେ ବିଭିନ୍ନ ପ୍ରକାର ସାମଗ୍ରୀ ନିର୍ମାଣ କରିଥାନ୍ତି । ପରେ ନିକଟସ୍ଥ ବଜାରରେ ବିକ୍ରି କରି ରୋଜଗାର କରିଥାନ୍ତି । ବିଶେଷ କରି ବର୍ଷକର ଧାନ ସୁରକ୍ଷିତ ରଖିବା ପାଇଁ ବାଉଁଶରେ ତିଆରି ପାଲ, କୃଷି ଜାତୀୟ ଦ୍ରବ୍ୟ ସାଇତି ରଖିବା ପାଇଁ ଟପଲି, ଟୁକୁନା, କୁଲା ଭଳି ବାଉଁଶ ସାମଗ୍ରୀ ତିଆରି କରିଥାନ୍ତି । ସେହିପରି ମାଛ ଧରିବା ପାଇଁ ବିସର, ଦାନ୍ଦର, ଥାପା ଏବଂ ଘରେ ବ୍ୟବହାର ପାଇଁ ଝାଡୁ, ଛପା ଓ ଛେଟଣା ଭଳି ସାମଗ୍ରୀ ବଜାରରେ ବିକ୍ରି କରି ରୋଜଗାର କରୁଛନ୍ତି । କୁହାଯାଏ ଆଗକାଳରେ ମା’ ଗର୍ଭରୁ ଛୁଆ ଜନ୍ମ ହେବା ପରେ ନାଭି କାଟିବା ପାଇଁ ବୈଦ୍ୟମାନେ ଧାରୁଆ ବାଉଁଶ ବ୍ୟବହାର କରୁଥିଲେ । ବିଶ୍ୱାସ ଥିଲା ଧାରୁଆ ବାଉଁଶରେ ନାଭି କାଟିଲେ ସଂକ୍ରମଣ ହେବ ନାହିଁ ବୋଲି । ସେହି ପରି ନୂତନ ଘରର କାନ୍ଥ ନିର୍ମାଣ ଠାରୁ ଆରମ୍ଭ କରି କବାଟ ଝରକା ବାଉଁଶରେ ନିର୍ମାଣ ହେଉଥିଲା । ସେହିପରି ବାଉଁଶରେ ପାଚେରୀ ନିର୍ମାଣ ହେଉଥିଲା ।ବର୍ତ୍ତମାନ ଆଧୁନିକ ଯୁଗରେ ବାଉଁଶ ସାମଗ୍ରୀର ଚାହିଦା ଧୀରେ ଧୀରେ କମି ଯାଉଥିବା ବେଳେ ଅଳ୍ପ କିଛି ପରିବାର ଏହି କୌଳିକ ବୃତ୍ତିକୁ ଜୀବିତ ରଖିଛନ୍ତି ।