ବନ୍ଧୁଙ୍କୁ ଆକ୍ରମଣ, ଯୁବକ ଗିରଫ
ଜଟଣୀ : ପୂର୍ବରୁ ଏକାଠି ହୋଇ ପାଠ ପଢୁଥିବା ଜଣେ ପୁରୁଣା ସହପାଠୀଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିବା ଅଭିଯୋଗରେ ଜଟଣୀ ଥାନା ପୁଲିସ ସ୍ଥାନୀୟ ରେତଙ୍ଗ କଲୋନୀ ଅଞ୍ଚଳର ଶେକ ସର୍ଫରାଜ (୨୧)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁସାରେ ପୀଡିତ ସତ୍ୟସୁନ୍ଦର ବାଜପାୟୀ ଓ ସର୍ଫରାଜ ଜଟଣୀର ଏକ ଶିକ୍ଷାନୁଷ୍ଠାନରେ ୨୦୨୧ରେ ଶିକ୍ଷା ଗ୍ରହଣ କରୁଥିଲେ । ଏକଦା ବିଶୃଙ୍ଖଳିତ ଆଚରଣ ଯୋଗୁଁ ଅଭିଯୁକ୍ତଙ୍କୁ ଉକ୍ତ ଶିକ୍ଷାନୁଷ୍ଠାନରୁ ବହିଷ୍କୃତ କରାଯାଇଥିଲା । ଏହା ପରେ ଉଭୟ ସତ୍ୟସୁନ୍ଦର ଓ ଅଭିଯୁକ୍ତ ଉତ୍ତମଙ୍କ ସହ ବନ୍ଧୁତା ହୋଇଥିଲେ । ଫେବୃଆରୀ ମାସ ୨୮ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଓ ତାଙ୍କର ପାଞ୍ଚଜଣ ବନ୍ଧୁ ଉକ୍ତ ଶିକ୍ଷାନୁଷ୍ଠାନ ନିକଟରେ ଥିବା ଏକ ଚା’ ଦୋକାନରେ ପୀଡିତଙ୍କୁ ସାକ୍ଷାତ କରିଥିଲେ । ସେଠାରେ କୌଣସି ଏକ କାରଣ ଯୋଗୁଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଅନ୍ୟ ବନ୍ଧୁମାନଙ୍କ ସହାୟତାରେ ବୁଝାମଣା ଲାଗି ଅଭିଯୁକ୍ତ ଜଣକ ପୀଡିତଙ୍କୁ ତାଙ୍କ ଭଡା ଘରକୁ ଡାକି ଏକ ଲୁହା ପାଇପ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିବା ଯୋଗୁ ତାଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିଲା । ପାଖରେ ଉପସ୍ଥିତ ଥିବା ଅନ୍ୟ ବନ୍ଧୁମାନେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ ।