ଏଟିଏମ୍ ଲୁଟ୍, ଜଣେ ଗିରଫ
ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଗୋଲବଜାର ଠାରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଏସ୍ବିଆଇର ଶାଖାର ଏଟିଏମ୍ ଭାଙ୍ଗି ଲୁଟ୍ ଘଟଣାର ପର୍ଦ୍ଦାଫାଶ୍ ହୋଇଛି । ପୋଲିସ ଅର୍ଥ ପରିବହନରେ ଟେକ୍ନିସିଏନ୍ ଭାବେ କାମ କରୁଥିବା ଜଣେ ଯୁବକକୁ ଗିରଫ କରି ଏଟିଏମ୍ରୁ ଲୁଟ୍ ହୋଇଥିବା ୧୯ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜବତ କରିଛି ବୋଲି ଏସ୍ପି ମୁକେଶ କୁମାର ଭାମୁ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଗତକାଲି ସକାଳ ୫ଟା ୧୩ ମିନିଟ୍ ସମୟରେ ଏହି ଲୁଟ୍ ହୋଇଥିଲା । ଷ୍ଟେଟବ୍ୟାଙ୍କର ଗୋଲବଜାର ଶାଖା ପରିଚାଳକ ମନୋଜ କୁମାର ମହାନନ୍ଦଙ୍କ ପାଖକୁ ଉକ୍ତ ଏଟିଏମ୍କୁ ଅନଧିକୃତ ଭାବେ ଖୋଲାଯାଉଥିବା ଏକ ବାର୍ତ୍ତା ହାଇଦ୍ରାବାଦ ଇ-ସଭିଲେନ୍ସ ଟିମ୍ ଜରିଆରେ ସତର୍କ କରାଯାଇଥିଲା । ଶାଖା ପରିଚାଳକ ଏ ନେଇ ଟାଉନ ଥାନାକୁ ଲିଖିତ ଭାବେ ଜଣାଇଥିଲେ । ଯାଞ୍ଚ୍ ବେଳେ ଜଣେ ଦୁର୍ବୃତ୍ତ ଏଟିଏମ୍ କାଉଣ୍ଟରକୁ ପ୍ରବେଶ କରିଥିଲେ । ଏଟିଏମ୍ର ଚେଷ୍ଟ ଡୋର ଖୋଲି ଟଙ୍କା ନେଇ ଯାଇଥିଲେ । ପୋଲିସ ପକ୍ଷରୁ ଏ ନେଇ ବ୍ୟାପକ ତଦନ୍ତ ଆରମ୍ଭ କରାଯାଇଥିଲା । ଏଥିରେ ବ୍ୟାଙ୍କମାନଙ୍କର ଟଙ୍କା ପରିବହନ କରୁଥିବା ଏକ ସଂସ୍ଥାର ଜଣେ ଟେକ୍ନିିସିଏନ୍ ସଂପୃକ୍ତ ଏବଂ ସେ ଗତକାଲି ସକାଳ ସମୟରେ ଏଟିଏମ୍ର ଭୋଲଟ୍କୁ ଖୋଲିଥିବା ଜଣାପଡ଼ିଥିଲା ବୋଲି ଏସ୍ପି କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୧୯ ଲକ୍ଷ ୬୪ ହଜାର ୩ଶହ ଟଙ୍କା ଉଦ୍ଧାର କରାଯାଇଛି । ତେବେ ବ୍ୟାଙ୍କ ପକ୍ଷରୁ ଅଡିଟ୍ କରାଗଲେ ଲୁଟ୍ର ପ୍ରକୃତ ପରିମାଣ ଜଣାପଡ଼ିବ ବୋଲି ସେ କହିଛନ୍ତି । ଗିରଫ ଯୁବକ ହେଲେ ଜିଲ୍ଲାର ଯୁଯୋମୁରା ଥାନା ଅନ୍ତର୍ଗତ ସୁମନ ସାହୁ (୨୫) । ତାଙ୍କ ଠାରୁ ଦୁଇଟି ମୋବାଇଲ ଫୋନ୍ ଓ ଗୋଟିଏ ସ୍କୃ ଡ୍ରାଇଭର ମଧ୍ୟ ଜବତ କରାଯାଇଛି । ଏ ନେଇ ଟାଉନ ଥାନାର ମାମଲା ସଂଖ୍ୟା ୬୮ ଉପରେ ଆଜି ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫ (କ) ବଳରେ ଏକ ମୋକଦ୍ଦମା ରୁଜୁ କରାଯାଇଛି । ଏହି ମାମଲା ନେଇ ଅଧିକ ଅନୁସନ୍ଧାନ ଜାରି ରହିଥିବା ଏସ୍ପି ଶ୍ରୀ ଭାମୁ କହିଛନ୍ତି ।