ଡକାୟତ ଗ୍ୟାଙ୍ଗର ୧୦ ଗିରଫ


ାା ପ୍ରଭାନୁ୍ୟଜ୍ ।ା ସମ୍ବଲପୁର :  ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବଡ଼ ବଡ଼ ଡକାୟତି ଘଟଣାରେ ସମ୍ପୃକ୍ତ ଏକ ଗ୍ୟାଙ୍ଗର ୧୦ ଜଣ ସଦସ୍ୟଙ୍କୁ  ଧରିବାରେ ସମ୍ବଲପୁର ଜିଲ୍ଲା ପୋଲିସ ସକ୍ଷମ ହୋଇଛି । ଏମାନଙ୍କ ଠାରୁ ପ୍ରାୟ ୫ ଲକ୍ଷ ୧୨ ହଜାର   ନଗଦ ଟଙ୍କା ସମେତ ୭୫ ଲକ୍ଷ ଟଙ୍କାର ଚୋରି ସମ୍ପତ୍ତି ଉଦ୍ଧାର କରାଯାଇଛି । ଜବତ ସାମଗ୍ରୀ ମଧ୍ୟରେ ୪୮୦ ଗ୍ରାମ୍ ସୁନା ୧୬୫ ଗ୍ରାମ୍ ରୂପା, ୧୫ଟି ରୂପା କଏନ୍, ୩ଟି ବୋଲେରୋ ଓ ନୂଆଁ ଟ୍ରାକ୍ଟର, ୪ଟି ନୂଆଁ ବାଇକ୍, ଗୋଟିଏ ସ୍କୁଟି, ୧୦ଟି ମୋବାଇଲ ଫୋନ୍ ସହିତ ଭୁଜାଲି, ଚାକୁ, ରଶି, ଲାଇଟ୍ ମଧ୍ୟ ଉଦ୍ଧାର କରାଯାଇଛି । ଚୋରି ଟଙ୍କାରୁ ଏମାନେ ଉକ୍ତ ଦୁଇ ଟ୍ରାକ୍ଟର ଓ ୪ଟି ବାଇକ୍ କିଣିଥିଲେ ବୋଲି ଏସ୍ପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି । ଏମାନଙ୍କ ନାମରେ ସମ୍ବଲପୁର ଜିଲ୍ଲାର ସଦର, ଶାସନ, ଯୁଯୋମୁରା, ବୁର୍ଲା, ହୀରାକୁଦ, ରେଙ୍ଗାଲି ଓ କତରବଗା ପୋଲିସ ଥାନାରେ ୧୫ଟି, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨ଟି କରି ଓ ବଲାଙ୍ଗିର, ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ କରି ଡକାୟତି ମାମଲା ରହିଛି । ନିକଟରେ ସମ୍ବଲପୁର ଓ ପାଖ ଜିଲ୍ଲାର ରାଇସ୍ମିଲ୍ ମାଲିକମାନଙ୍କ ଘରେ ଡକାୟତିକୁ ଭିତ୍ତିକରି ପୁଲିସ ସ୍ୱତନ୍ତ୍ର ସ୍କ୍ୱାର୍ଡ ଜରିଆରେ ଅପରାଧୀମାନଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯୁକ୍ତମାନେ ବିଶେଷ କରି ଚାଉଳ କଳ, ପେଟ୍ରୋଲପମ୍ପ, ଦେଶୀ ମଦଭାଟିରେ ଟଙ୍କା ଓ ସୁନା ଡକାୟତି କରୁଥିଲେ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜିଲ୍ଲାର ରେଙ୍ଗାଲି ମେନକା ପଡ଼ାର ସଂଜୁ ଛୁରିଆ, ମେନକା ପଡ଼ାର ମଦନମୋହନ ଖଡ଼ିଆ ଓ ସୁଦର୍ଶନ ଖଡ଼ିଆଙ୍କ ନାମରେ ୬ଟି ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଗିରଫ ଅନ୍ୟ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ବରେଇପାଲି ଥାନାର ସଚିନ ଖଡ଼ିଆ ଓ ବିକାଶ ଖଡ଼ିଆ, ରେଙ୍ଗାଲି ଥାନାର ବୁଲୁ କନ୍ଧ, ସୁନୀଲ ମାଝୀ, ଅନୀଲ ମାଝୀ, ଭୁବନ ମାଝୀ ଓ ବରଗଡ଼ ଜିଲ୍ଲା ବରପାଲି ଥାନାୂ ଅଞ୍ଜଳର ସ୍ୱରାଜ ମେହେର ରହିଛନ୍ତି । ତେବେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବା ଓ ଅନ୍ୟ ଅପରାଧମାନଙ୍କରେ ଏମାନଙ୍କର ସଂପୃକ୍ତି ସମ୍ପର୍କରେ ଛାନ୍ବିନ୍ ଜାରି ରହିଛି ବୋଲି ଏସ୍ପି କହିଛନ୍ତି । ଏମାନେ ଅପରାଧ ଘଟାଇବା ପୂର୍ବରୁ ଯୋଜନାବଦ୍ଧ ଭାବରେ ସେହି ଜାଗାମାନଙ୍କର ରେକି କରୁଥିଲେ । 
ସାମ୍ବାଦିକମାନଙ୍କୁ ସୂଚନା ଦେବା ସମୟରେ ଏସ୍ପିଙ୍କ ସହ ଅତିରିକ୍ତ ଏସ୍ପି ହରେଶଚନ୍ଦ୍ର ପାଣ୍ଡେ, ସଦର ଏସ୍ଡିପିଓ ତୋଫାନ୍ ବାଗ୍, ବୁର୍ଲା ଏସ୍ଡିପିଓ ଅମ୍ବିତ ମହାନ୍ତି, ସଦର ଏସ୍ଡିପିଓ ତୋଫାନ୍ ବାଗ୍, ବୁର୍ଲା ଓ ରେଙ୍ଗାଲି ଥାନାର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।