ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ୨୩ ଜଣ
ବାରଣାସୀ : ଅତ୍ୟନ୍ତ ଅମାନୁଷିକ । ୨୩ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ୧୯ ବର୍ଷୀୟ ଯୁବତୀ । ସାଙ୍ଗ ଘରକୁ ଯିବା ଉଦେ୍ଦଶ୍ୟରେ ସେ ଘରୁ ଗୋଡ଼ କାଢ଼ିଥିବା ବେଳେ ଦୀର୍ଘ ୭ ଦିନ ଧରି ନିଖୋଜ ହୋଇଥିଲେ । ଏହି ନିଖୋଜ କାଳ ମଧ୍ୟରେ ସେ ୨୩ ଦୁର୍ବୃତ୍ତଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଉତ୍ତରପ୍ରଦେଶର ବାରଣାସୀ ଜିଲ୍ଲାରୁ ଆସିଛି ଏଭଳି ସମ୍ବେଦନଶୀଳ ଘଟଣା । ଯୁବତୀ ଜଣକ ଗତ ମାର୍ଚ୍ଚ ୨୯ରୁ ନିଖୋଜ ହୋଇଥିବା ବେଳେ ଏ ସମ୍ପର୍କରେ ତାଙ୍କ ମା’ ପାଣ୍ଡିଆପୁର ଲାଲପୁର ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ପୁଲିସ୍ ତଦନ୍ତ ଜାରି ରଖିଥିବା ବେଳେ ଦୀର୍ଘ ୭ ଦିନ ଯୁବତୀଙ୍କୁ ଠାବ କରାଯାଇଛି ବୋଲି ବରୁଣ ଜୋନ୍ ଡିସିପି ଚନ୍ଦ୍ରକାନ୍ତ ମୀନା କହିଛନ୍ତି । ତେବେ ଏ ଘଟଣାରେ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ୍ ଚଢ଼ଉ ଜାରି ରଖିଛି । ପୀଡ଼ିତା ଜଣକ ଘରକୁ ଫେରି ମା’ଙ୍କ ଆଗରେ ଘଟଣାବଳୀ ବଖାଣି ଥିବା ବେଳେ ପୁନଃ ତାଙ୍କ ମା’ ଥାନାରେ ଦେଇଥିବା ଏତଲାରେ ସମ୍ପୂର୍ଣ୍ଣ ଘଟଣାବଳୀ ଯୋଡ଼ିଥିଲେ ।
ପୀଡ଼ିତାଙ୍କ ମା’ ତାଙ୍କ ଏତଲା ଦର୍ଶାଇଛନ୍ତି ଯେ, ମାର୍ଚ୍ଚ ୨୯ରେ ତାଙ୍କ ଝିଅ ନିକଟସ୍ଥ ଜଣେ ସାଙ୍ଗଘରକୁ ଯାଇ ଫେରୁଥିବା ବେଳେ ରାସ୍ତାରେ ସମ୍ପୃକ୍ତ ୨୩ଜଣଙ୍କ ମଧ୍ୟରୁ ଜଣେ ଯୁବକ ବଳପୂର୍ବକ କାବୁ କରି ତାଙ୍କୁ ନିଜର ଲଙ୍କା ନାମକ କାଫେକୁ ନେଇ ରାତିସାରା ରଖିଥିଲା ଏବଂ ଦୁଷ୍କର୍ମ କରିଥିଲା । ପରଦିନ ସେଇ ଅଭିଯୁକ୍ତ ଯୁବକର ଆଉଜଣେ ସାଙ୍ଗ ମଧ୍ୟ ତା’ସହ ଯୋଡ଼ି ହୋଇଥିଲା ଏବଂ ଯୁବତୀଙ୍କୁ ଦୁହେଁ ମିଶି ଗଣଦୁଷ୍କର୍ମ କରିଥିଲେ । ସେହିପରି ମାର୍ଚ୍ଚ ୩୧, ଏପ୍ରିଲ୍ ୧ ଆଦି ଦିନ ମାନଙ୍କରେ କ୍ରମାନ୍ୱୟରେ ଜଣକ ପରେ ଜଣେ ଦୁର୍ବୃତ୍ତ ପୀଡ଼ିତାଙ୍କୁ ବିଭିନ୍ନ ଜାଗା ବଦଳାଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏହିପରିଭାବେ ବିଭିନ୍ନ ଯୁବକଙ୍କ ଦୁଷ୍କର୍ମର ଶିକାର ହେବା ପରେ ଆଉ ଘରକୁ ନ ଫେରି ଏପ୍ରିଲ ୩ରେ ପୀଡ଼ିତା ଜଣକ ଡାନିସ୍ ନାମକ ନିଜ ସାଙ୍ଗ ଘରକୁ ଯାଇଥିଲେ । ସେଠାରେ ସେ ସାଙ୍ଗ ମଧ୍ୟ ତାଙ୍କୁ ଖାଦ୍ୟରେ ନିଶାଦ୍ରବ୍ୟ ଦେଇ ରାତିସାରା ଦୁଷ୍କର୍ମ କରିଥିଲା । ପରେ ୪ ତାରିଖ ଦିନ ଘରକୁ ପୀଡ଼ିତା ଜଣକ ଘରକୁ ଫେରିଆସି ମା’ଙ୍କ ଆଗରେ ସବୁ କଥା କହିଥିଲେ ।