ଡକାୟତି ଉଦ୍ୟମ ବେଳେ ୪ଗିରଫ


 ପୁରୀ : ବନ୍ଧୁକ ଦେଖାଇ ଡ଼କାୟତି ପାଇଁ ଯୋଜନା କରୁଥିବା ୪ଜଣ ଡ଼କାୟତଙ୍କୁ ସମୁଦ୍ରକୂଳ ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ଦୋଳମଣ୍ଡପ ସାହି ନାରାୟଣୀ ଲେନ୍ର ରାଜକିଶୋର ନାୟକ ଓରଫ ଚିଣ୍ଟୁ (୨୬), ମାର୍କଣ୍ଡେଶ୍ୱର ସାହିର କାହ୍ନା ସାହୁ (୨୨), ଦାମୋଦର ରୋଡ଼ର ସାଇ ଜଗତ୍ଜ୍ୟୋତି ଆଇଚ ଓରଫ ସାଇ (୨୫), ଡ଼େଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁରର ପାର୍ଥ ପ୍ରସାଦ ପାତ୍ର ଓରଫ ନନା (୨୯) । ଏ ସଂକ୍ରାନ୍ତରେ ୧୧୧ (୨) (କ), ୧୧୧(୨) (ଖ)ଳ ୧୧୧(୩), ୧୧୧(୪), ୩(୫) ଓ ଅସ୍ତ୍ରଶସ୍ତ୍ର ଆଇନର ୨୫(୬) ଧାରାରେ ୯୩/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି ।  ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ୨ଟି ମାଗାଜିନ୍, ୧୦ଟି ଜୀବନ୍ତ ଗୁଳି, ୪ଟି ମୋବାଇଲ ଫୋନ୍, ଗୋଟିଏ ବୁଲେଟ ମୋଟରସାଇକେଲ, ଗୋଟିଏ ସ୍କୋର୍ପିଓ ଗାଡ଼ି ଓ ନଗଦ ୭୨ହଜାର ଟଙ୍କା ଜବତ କରାଯାଇଛି । ସମୁଦ୍ରକୂଳ ଥାନା ପୋଲିସ ୧୮ ତାରିଖ ପୂର୍ବାହ୍ନରେ ପାଟ୍ରୋଲିଂ କରୁଥିବା ବେଳେ ପୋଲିସ ସୂତ୍ରରୁ ଖବର ପାଇଥିଲେ ଅଭିଯୁକ୍ତ ରାଜକିଶୋର, କାହ୍ନା, ସାଇ ଗୋଟିଏ ବନ୍ଧୁକ ପାର୍ଥ ଠାରୁ ଖରିଦ କରିଛନ୍ତି । ଏହି ଖବର ପାଇବା ପରେ ପୋଲିସ ଅର୍ବାନ ହାଟ ନିକଟରେ ଥିବା ଏମ୍ଜେ ରେସିଡ଼େନ୍ସି ହୋଟେଲ ଠାରୁ ମାରଣାସ୍ତ୍ର ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ବୋଲି ଅତିରିକ୍ତ ଏସ୍.ପି ସୁଶୀଲ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପାର୍ଥ କେବେ ଠାରୁ ଏହି ବନ୍ଧୁକ କାରବାର କରୁଥିଲା, କେଉଁଠୁ ବନ୍ଧୁକ ଆଣୁଥିଲା ତା ସହ ଅନ୍ୟ କେଉଁମାନେ ସଂପୃକ୍ତ, ତାର କଲ୍ ରେକର୍ଡ଼ ଯାଞ୍ଚ କରୁଛି ପୋଲିସ ।