ମଠ ମନ୍ଦିରରେ ରାଧାଷ୍ଟମୀ ପର୍ବ ପାଳିତ
ପୁରୀ: ଭାଦ୍ରବ ଶୁକ୍ଳ ଅଷ୍ଟମୀରେ ଶ୍ରୀମନ୍ଦିରରେ ଶ୍ରୀ ରାଧାଷ୍ଟମୀ ପର୍ବ ପାଳିତ ହୋଇଯାଇଛି । ରାଧାଷ୍ଟମୀ ଉପଲକ୍ଷେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ସ୍ୱତନ୍ତ୍ର ନୀତିମାନ ସଂପନ୍ନ ହୋଇଥିଲା । ସକାଳଧୂପ ଶେଷ ହେବା ପରେ ଲକ୍ଷ୍ମୀ ଠାକୁରାଣୀ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତପାହାଚ ଦ୍ୱାର ପାଖରେ ଥିବା ପାଲିଙ୍କିରେ ବିଜେ କରିଥିଲେ ଓ ପାଲିଙ୍କିକୁ ଲକ୍ଷ୍ମୀ ମନ୍ଦିର ଜଗମୋହନକୁ ନିଆଯାଇଥିଲା । ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ପଡ଼ିଥିବା ଖଟରେ ମହାଲକ୍ଷ୍ମୀ ବିଜେ କରିବା ପରେ ମାଜଣା ଓ ଶୀତଳଭୋଗ ହୋଇ ବନ୍ଦାପନା କରାଯାଇଥିଲା । ଭିତରେ ମଧ୍ୟାହ୍ନଧୂପ ଉଠିବା ପରେ ପୁଷ୍ପାଳକମାନେ ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ହାତରେ ବିଜେ କରାଇଆଣି ଖଟଶେଯ ଘରେ ବିଜେ କରିଥିଲେ । ପୂଜାପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦେବା ପରେ ଦଇତାପତିମାନେ ସୁଦର୍ଶନଙ୍କୁ ହାତରେ ବିଜେ କରାଇଆଣି ଜଗମୋହନରେ ଚଉଦୋଳରେ ବିଜେ କରାଇଥିଲେ । ସୁଦର୍ଶନଙ୍କ ରୁନ୍ଧାବଢ଼ି ପାଟପତନୀ ଲାଗି କରାଯିବା ପରେ ବିମାନବଡ଼ୁମାନଙ୍କ ଦ୍ୱାରା ଚଉଦୋଳକୁ ଝୁଲଣମଣ୍ଡପକୁ ନିଆଯାଇଥିଲା । ସେଠାରେ ସୁଦର୍ଶନଙ୍କୁ ସୁନାହରିଡ଼ାମାଳ, କମରପଟି ଓ ଦୟଣାମାଳି ଦେଇଥିବା ଚୂଳ ଲାଗି କରାଯାଇଥିଲା । ବଡ଼ଦେଉଳକୁ ବେଢ଼ାଏ ବୁଲି ସୁଦର୍ଶନ ଶ୍ରୀଜମ୍ବେଶ୍ୱରଙ୍କ ଜହ୍ନିମୁଣ୍ଡିଆ ଉପରେ ବିଜେ କରିଥିଲେ । ପ୍ରସାଦଲାଗି, ଶୀତଳଭୋଗ ଓ ବନ୍ଦାପନା ପରେ ସୁଦର୍ଶନ ସିଂହାସନକୁ ବାହୁଡ଼ା ବିଜେ କରିଥିଲେ । ପାଳିଆ ମେକାପ ସିଂହାସନ ପୋଛା ମାରିବା ପରେ ଚାରିବାଡ଼ରେ ମହାସ୍ନାନ ବଢ଼ିଥିଲା । ପାଳିଆ ପୁଷ୍ପାଳକ ଲକ୍ଷ୍ମୀ ସରସ୍ୱତୀଙ୍କୁ ଖଟଶେଯ ଘରୁନେଇ ସନ୍ଧ୍ୟାଆଳତି ବେଶ ବଢ଼ାଇ ଆଳତି କରିଥିଲେ । ସନ୍ଧ୍ୟାଧୂପ ପରେ ସୁଦର୍ଶନଙ୍କ ବାଡ଼ରେ ପ୍ରସାଦଲାଗି ଓ ବନ୍ଦାପନା କରାଯାଇଥିଲା । ଭକ୍ତିପୂତ ପରିବେଶ ମଧ୍ୟରେ ବିଭିନ୍ନ ମଠ ଓ ସହର ମଧ୍ୟରେ ଥିବା ମନ୍ଦିରମାନଙ୍କରେ ମଧ୍ୟ ରାଧାଷ୍ଟମୀ ପର୍ବ ସଂପର୍ଣ୍ଣ ହୋଇଛି । ସିଦ୍ଧବକୁଳ ମଠ, ପଟିଆରାଣୀ ମନ୍ଦିରରେ ଥିବା ରାଧାକୃଷ୍ଣ ମନ୍ଦିର, ଷ୍ଟେସନ ରୋଡ଼ ସ୍ଥିତ ରାମମନ୍ଦିରରେ ଥିବା ଶ୍ରୀକୃଷ୍ଣରାଧାଙ୍କ ପ୍ରତିମୂର୍ତ୍ତିକୁ ନେଇ ରାଧାଷ୍ଟମୀ ପର୍ବ ପାଳନ କରାଯାଇଛି । ଏହି ଉପଲକ୍ଷେ ଶ୍ରୀ ରାଧାଙ୍କ ବିଗ୍ରହକୁ ସୁନ୍ଦର ଭାବେ ବେଶ କରାଯିବା ସହ ନବବସ୍ତ୍ର ପିନ୍ଧାଇ ଦିଆଯାଇଥିଲା । ବିଭିନ୍ନ ଅଳଙ୍କାରରେ ମଣ୍ଡିତା ହୋଇଥିଲେ ଶ୍ରୀରାଧାଙ୍କ ବିଗ୍ରହ । ରାଧାଷ୍ଟମୀ ଉପଲକ୍ଷେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଭକ୍ତମାନେ ଏହି ଅବସରରେ ଶ୍ରୀରାଧାଙ୍କୁ ଦର୍ଶନ କରିଥିଲେ । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରୀରାଧାଙ୍କ ଜନ୍ମନୀତି ସଂପର୍ଣ୍ଣ ହୋଇଥିଲା ।