ନୂଆବର୍ଷରେ ଶ୍ରୀକ୍ଷେତ୍ର ଜନସମୁଦ୍ର
ପୁରୀ : ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆରମ୍ଭ ହେବ ନୂଆବର୍ଷ। ଖାସ୍ ସେଇଥିପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ସହ ମହୋଦଧିରେ ସ୍ନାନ ପାଇଁ ପୁରୀ ମୁହାଁଇଥିଲେ। ଶ୍ରୀକ୍ଷେତ୍ର ଆଜି ପାଲଟି ଯାଇଥିଲା ଜନସମୁଦ୍ର । ବଡ଼ଦାଣ୍ଡରୁ ନେଇ ସମୁଦ୍ର କୂଳ ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଭୁବନେଶ୍ୱର-ପୁରୀ ରାସ୍ତାରେ ଏତେ ଗାଡ଼ି ଗଡ଼ିଥିଲାଯେ, ପୁରୀ ପହଁଚିବା ପାଇଁ ତିନି ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଲାଗିଯାଇଥିଲା । ବଦଳିଛି କାନ୍ଥର କ୍ୟାଲେଣ୍ଡର । ବିଦାୟ ନେଇଛି ୨୦୨୫। ସମସ୍ତ ଉତ୍କଣ୍ଠିତ ପ୍ରତୀକ୍ଷାର ଅବସାନ ଘଟାଇ ପଦାର୍ପଣ କରିଛି ନୂଆବର୍ଷ ୨୦୨୬ । ନୂଆ ବର୍ଷ ଉପଲକ୍ଷେ ଶ୍ରୀକ୍ଷେତ୍ର ହୋଇ ଉଠିଛି ଲୋକାରଣ୍ୟ ଓ ଉତ୍ସବ ମୁଖର । ସଂପୂର୍ଣ୍ଣ ସଜେଇ ହୋଇଛି ଶ୍ରୀକ୍ଷେତ୍ର । ଏହି ଅବସରରେ ହଜାର ହଜାର ପର୍ଯ୍ୟଟକ ମହୋଦଧିର ବେଳାଭୂମିରେ ନବବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦର୍ଶନ କରିଥିଲେ । ଲକ୍ଷାଧିକ ଭକ୍ତ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ବର୍ଷଟି ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ ବୋଲି ପ୍ରାର୍ଥନା କରିଥିଲେ। ବୁଧବାର ରାତ୍ର ୧୦.୨୫ମିନିଟ୍ରେ ମହାପ୍ରଭୁଙ୍କ ପହୁଡ଼ କରାଯାଇଥିଲା । ରାତ୍ର ୧.୫୫ମିନିଟ୍ରେ ଦ୍ୱାର ପିଠିଥିଲା । ୨.୩୫ମିନିଟ୍ରେ ଭିତର ଶୋଧ କରାଯାଇ ୨.୪୦ମିନିଟ୍ରେ ମଙ୍ଗଳଆଳତି କରାଯାଇଥିଲା ।
ଦିନ ସାଢେ଼ ୯ଟା ବେଳକୁ ଅନ୍ୟ ନୀତିକାନ୍ତି ସହ ବେଶ ଶେଷ ହୋଇଥିଲା । ୧୧.୫୦ମିନିଟ୍ରେ ମଧ୍ୟାହ୍ନ ଧୂପ ଟେରା ପଡ଼ିଥିବାବେଳେ ୧୨ଟା ୫ରେ ମଧ୍ୟାହ୍ନ ଧୂପ ଶେଷ ହୋଇଥିଲା । ସେହିପରି ୨ଟା ୫୦ରେ ଦ୍ୱିତୀୟ ଭୋଗମଣ୍ଡପ ପୂଜା ଓ ଅପରାହ୍ନ ୩ଟାରେ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହୋଇଥିଲା । ଏହାପରେ ଅନ୍ୟାନ୍ୟ ନୀତି ସଂପାଦିତ ହୋଇଥିଲା । ନୀତି ସହିତ ତାଳ ଦେଇ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ଦର୍ଶନ ମଧ୍ୟ ଅବ୍ୟାହତ ରହିଥିଲା । ଗର୍ଭଗୃହ ଭିତରେ ନୀତି ଚାଲିଥିବା ବେଳେ ଭକ୍ତମାନେ ଗରୁଡ଼ସ୍ତମ୍ଭ ସମ୍ମୁଖସ୍ଥ ବାହାର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା । ଭକ୍ତମାନେ ବ୍ୟାରିକେଡ଼ ଦେଇ ସିଂହଦ୍ୱାର ସମ୍ମୁଖରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଜଗିରହି ଥାକ ଥାକ କରି ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ୁଥିବା ବେଳେ ଆବାଳ ବୃଦ୍ଧ ବନିତା ଉତ୍କଣ୍ଠାର ସହ ଦୌଡ଼ିଦୌଡ଼ି ମନ୍ଦିର ଭିତରେ ପ୍ରବେଶ କରୁଥିବା ଦେଖାଯାଇଥିଲା । ଅରୁଣସ୍ତମ୍ଭ ସମ୍ମୁଖରେ ଚଟଣାରେ ଝୋଟି ପକାଯିବା ସହ ବିଭିନ୍ନ ରଂଗର ଫୁଲରେ ସଜ୍ଜିତ କରାଯାଇ ନୂତନ ବର୍ଷକୁ ସ୍ୱାଗତ କରାଯାଇଥିଲା ।
Samir Kumar Rout