ମୁର୍ସିଦାବାଦ ଦଙ୍ଗାକାରୀ ଝାରସୁଗୁଡ଼ାରୁ ଗିରଫ

ଝାରସୁଗୁଡ଼ାରେ ଲୁଚିଥିଲେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଦଙ୍ଗାକାରୀ  । ପଶ୍ଚିମବଙ୍ଗରୁ ଆଜି ଏସ୍ଟିଏଫ୍ର ଏକ ୬ ଜଣିଆ ଟିମ୍ ଝାରସୁଗୁଡ଼ାର ବନ୍ଧବାହାଲ ଓ ବନହରପାଲି ଥାନା ଅଞ୍ଚଳରେ ଚଢ଼ଉ କରି ସମ୍ପୃକ୍ତ ୨ ଦଙ୍ଗାକାରୀଙ୍କୁ ଗିରଫ କରିଛି  । ସେମାନେ ହେଲେ ବାନି ଇଶ୍ରାଇଲ ଓ ସୈଫୁଲ ହକ । ଏମାନଙ୍କ ସମେତ ଅନ୍ୟ ୬ଜଣଙ୍କୁ ଦଙ୍ଗା ସମ୍ପୃକ୍ତିରେ ମଧ୍ୟ ଗିରଫ କରାଯାଇଛି  । ତେବେ ପୁଲିସ୍ କବ୍ଜାରୁ ସେମାନେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ୪ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ସେମାନଙ୍କୁ କାବୁ କରିଥିଲା ଏସ୍ଟିଏଫ୍  । ବନ୍ଧବାହାଲ ଓ ବନହରପାଲି ଥାନା ଅଞ୍ଚଳରେ ପ୍ରାୟ ୨୦ରୁ ଅଧିକ ସନ୍ଦିଗ୍ଧଙ୍କୁ ପଚରାଉଚରା କରିବା ପରେ ସମ୍ପୃକ୍ତ ୮ ଜଣଙ୍କ ପତ୍ତା ମିଳିଥିଲା  । ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ୪ଟି ୯ଏମ୍ଏମ୍ ଗୁଳି ଜବତ କରାଯାଇଥିବା ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଝାରସୁଗୁଡା ଏସପି ସ୍ମିଥ ପରମାର ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି  ।   ଘଟଣା ଅନୁସାରେ ଗତ ୧୨ ତାରିଖରେ ୱାକ୍ଫ ଆଇନ ପ୍ରତିବାଦରେ ମୁର୍ସିଦାବାଦରେ ଭୀଷଣ ହିଂସାକାଣ୍ଡ ଘଟିଥିଲା । ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ଏହି ଆଇନ ପ୍ରତିବାଦରେ ମୁର୍ସିଦାବାଦରେ ହିଂସାକାଣ୍ଡ ଘଟାଇଥିବା ବେଳେ ହିନ୍ଦୁମାନଙ୍କ ଘର ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ମୁର୍ସିଦାବାଦରେ ରହୁଥିବା ବାପା ହରଗୋବିନ୍ଦ ଦାସ  ଓ ପୁଅ ଚନ୍ଦନ ଦାସଙ୍କ ମୃତୁ୍ୟ ହୋଇଥିଲା । ତେବେ ସେଠାରେ ଘଟିଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସହାୟତାରେ ୩୦୦ ବିଏସ୍ଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଥିଲା । ପୁଲିସ୍ ଏବଂ ଯବାନଙ୍କ ପକ୍ଷରୁ ପାଲଟା ଜବାବ ଦିଆଯିବାରୁ ଦଙ୍ଗାକାରୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ।