ସମ୍ବଲପୁରରେ ଲୋକଙ୍କ ସରକାର
ଭୁବନେଶ୍ୱର : ପୁରା ରାଜ୍ୟ ପ୍ରଶାସନ ସମ୍ବଲପୁରରେ । ସମୟ ଥିଲା ସକାଳ ୮ଟା । ଲୋକାରଣ୍ୟ ହୋଇ ଉଠିଥିଲା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସର । ଲୋକଙ୍କ ମୁଖ୍ୟମନ୍ତ୍ରୀ ଯାଇଥିଲେ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ପାଇଁ । କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ତାଙ୍କ ସହିତ ଥିଲେ ସହଯୋଗୀ ୧୦ ମନ୍ତ୍ରୀ । ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବସ୍ତରୀୟ ଅଧିକାରୀଗଣ ବି ଥିଲେ । ସମ୍ପୂର୍ଣ୍ଣ ରାଜ୍ୟ ପ୍ରଶାସନ ସ୍ଥାନାନ୍ତରିତ ହୋଇଥିଲା ସମ୍ବଲପୁରକୁ । ଆଜିଥିଲା ଅଭିଯୋଗ ଶୁଣାଣିର ୧୦ମ ପାଳି । ଏହା ଥିଲା ଅନ୍ୟ ନଅ' ପାଳି ଠାରୁ ଭିନ୍ନ । କାରଣ ସରକାରଙ୍କ ପାଖକୁ ଲୋକ ଆସିନାହାନ୍ତି, ସରକାର ଆସିଛନ୍ତି ଲୋକଙ୍କ ଅଭିଯୋଗ ଶୁଣିବାକୁ । ଗତ କାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ ସମ୍ବଲପୁରରେ ପହଞ୍ଚି ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତିଯେ, ସମ୍ବଲପୁରରେ ଏ ଜନଶୁଣାଣି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଶୁଭଙ୍କର । ସରକାରଙ୍କ ପାଇଁ, ଲୋକଙ୍କ ପାଇଁ, ଓଡ଼ିଶା ରାଜ୍ୟ ପାଇଁ ଓ ସର୍ବୋପରି ଗଣତନ୍ତ୍ର ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର ଏହି ଜନ ଶୁଣାଣି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଆମକୁ ଲୋକଙ୍କ ଆହୁରି ନିକଟତର ହେବାକୁ ପ୍ରେରଣା ଦେଇଛି ବୋଲି ସେ କହିଛନ୍ତି ।
ସେ ପୁଣି କହିଥିଲେଯେ, ଆମର ଉଦେ୍ଦଶ୍ୟ ହେଉଛି ରାଜ୍ୟର ବୃହତ୍ତର ବିକାଶର ଲକ୍ଷ୍ୟ ପୂରଣ ଭିତରେ ଗରିବ, ଅସହାୟ ଲୋକଙ୍କ ଦୁଃଖକୁ ଆମେ ଯେପରି ନଜର ଅନ୍ଦାଜ୍ ନକରୁ । ସେମାନେ ଯେପରି ଅନୁଭବ ନକରନ୍ତି ଯେ, ସେମାନଙ୍କ ଦୁଃଖ ଶୁଣିବା ପାଇଁ କେହିନାହାନ୍ତି । ପୂର୍ବ ସରକାର ଏଥିପ୍ରତି ଉଦାସୀନ ମନୋଭାବ ପୋଷଣ କରୁଥିଲେ । ଆମେ କିନ୍ତୁ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜନ ଶୁଣାଣି କରିବା ପାଇଁ ନିଷ୍ପତ୍ତି ନେଇଛୁ । ଆଜି ସମ୍ବଲପୁରରେ ହେଲା, ଆଗାମୀ ଦିନରେ ରାଜ୍ୟର ଅନ୍ୟ ସ୍ଥାନରେ ହେବ ।
ଏହି କ୍ଷେତ୍ରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଦ୍ୱାରା ଅଧିକାରୀମାନେ ସେମାନଙ୍କ ସ୍ତରରେ ହିଁ ଯେତେଦୂର ସମ୍ଭବ, ଲୋକଙ୍କ ସମସ୍ୟା ସମାଧାନ କରିବାକୁ ତତ୍ପର । ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ ଅଧିକ ସଚେତନ ହେବେ ବୋଲି ସେ କହିଛନ୍ତି । ସମସ୍ତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଅଧିକାରୀମାନଙ୍କୁ ସ୍ପଷ୍ଟ ନିଦେ୍ର୍ଦଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ପୂର୍ବ ଜନଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଆଗରୁ ଭୁବନେଶ୍ୱରରେ ଆମର ନଅ'ଟି ଜନ ଶୁଣାଣି ହୋଇଛି । ପୂର୍ବ ନଅ'ଟି ପାଳିରେ ୯,୩୭୭ ଲୋକଙ୍କ ଅଭିଯୋଗ ଗ୍ରହଣ କରିଛୁ ଏବଂ ପ୍ରାୟ ୮୮ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି । ଅବଶିଷ୍ଟ ଗୁଡିକ ପ୍ରକ୍ରିୟା ଭିତରେ ଅଛି । ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୦ମ ପାଳି । ଏହି ପାଳିରେ ପ୍ରାୟ ୧ ହଜାର ଜଣ ଅନଲାଇନ ଜରିଆରେ ପଂଜିକୃତ ଓ ଅଫଲାଇନରେ ପ୍ରାୟ ୧୪୦୦ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇଛି । ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇଛି । ଆଜି ଏହି ସିଷ୍ଟମରେ ଚିକିସôା ଖର୍ଚ୍ଚ ପାଇଁ ୧୮ ଜଣଙ୍କୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିସôା ସହାୟତା ପ୍ରଦାନ କରାଯାଇଛି । ତତ୍କାଳ ସହାୟତା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଭିଯୋଗ ପ୍ରକୋଷ୍ଠରେ ଡାକ୍ତରୀ ଦଳ ମଧ୍ୟ ନିୟୋଜିତ ଥିଲେ ।
କେବଳ ଚିକିସôା ସହାୟତା ନୁହେଁ, ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ଅଭିଯୋଗକାରୀମାନେ ଆସିଥିଲେ । ସମସ୍ତଙ୍କ ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ଶୁଣି ଆବଶ୍ୟକ ସ୍ଥଳେ ଟେଲିଫୋନ୍ ଜରିଆରେ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ଉପସ୍ଥିତ ବରିଷ୍ଠ ସଚିବସ୍ତରୀୟ ଅଧିକାରୀମାନେ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିଦେ୍ର୍ଦଶ ଦେଉଥିଲେ ।
ଅଭିଯୋଗକାରୀଙ୍କ ମଧ୍ୟରେ ଥିଲେ ସମ୍ବଲପୁରର ଦୀପ୍ତିରାଣୀ ପାଢ଼ୀ । ସେ ତାଙ୍କ ପେନସନ ସଂକ୍ରାନ୍ତୀୟ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ସମସ୍ୟା ଶୁଣିଲେ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଶ୍ରୀମତୀ ପାଢ଼ୀ ଗଭୀର ଆତ୍ମସନ୍ତୋଷର ସହ ଘରକୁ ଫେରିଥିଲେ । ସେହିପରି ବରଗଡ଼ ଜିଲ୍ଲାର କିଛି ଲୋକ ଆସିଥିଲେ ଡୁଙ୍ଗୁରିବାହାଲ ଜଳସେଚନ ପ୍ରକଳ୍ପରୁ ଜଳସେଚନ ସୁବିଧା କରାଇବା ପାଇଁ । ମୁଖ୍ୟମନ୍ତ୍ରୀ ତୁରନ୍ତ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ଏହାର ସମାଧାନ ପାଇଁ । ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ଏବଂ ଅନ୍ୟ ବିଭାଗଗୁଡ଼ିକର ସଚିବସ୍ତରୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟ ପରିଚାଳନା କରିଥିଲେ ।