କଫ ସିରଫ ଜବତ, ୭ ଗିରଫ
ନୂଆପଡା : ନୂଆପଡ଼ା ଜିଲ୍ଲା ପୁଲିସକୁ ଅପରେସନ ଶୁଦ୍ଧିରେ ପୁଣି ସଫଳତା ମିଳିଛି । ଆଜି ନୂଆପଡ଼ା ଥାନା ପୁଲିସ ୬କେଜି ଗଞ୍ଜେଇ, ୨୫ବୋତଲ କଫ ସିରଫ, ୩ଟି ବାଇକ ଓ ୫ଟି ମୋବାଇଲକୁ ଜବତ କରିଛି । ଏହି ଘଟଣାରେ ଜଣେ ମହିଳା, ଜଣେ ନାବାଳକ ସମେତ ୭ଜଣଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି ।
ଗତକାଲି ନୂଆପଡ଼ା ସହର ତେଲିପଡ଼ା ପୋଖରୀ ନିକଟରେରେ ଏକ ଗୋଷ୍ଠୀ ବେଆଇନ ନିଶା କାରାବାର ଚଲାଇଥିବା ବିଶ୍ୱସ୍ତ ସୂତ୍ରରୁ ପୁଲିସ ସୂଚନା ପାଇଥିଲା । ସେଠି ନିଶାଦ୍ରବ୍ୟ କିଣାବିକା ଓ ଅନ୍ୟତ୍ର ପରିବହନ କରୁଥିବା ଅଭିଯୋଗ ହୋଇଥିଲା । ଏସପିଙ୍କ ନିଦେ୍ର୍ଦଶ କ୍ରମେ ନୂଆପଡ଼ା ଆଇଆଇସି ଗଙ୍ଗାଧର ମେହେରଙ୍କ ତତ୍ତ୍ୱାବଧାନରେ ଏସଆଇ ଜ୍ୟୋତିରଂଜନ ସେନାପତିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ତେଲିପଡ଼ା ପୋଖରୀ ନିକଟରେ ଚଢ଼ଉ କରି ଗଞ୍ଜେଇ ଓ କଫ ସିରଫ ଜବତ କରିଥିଲେ । ବେଆଇନ ନିଶାକାରାବାର ଅଭିଯୋଗରେ ତେଲିପଡ଼ାର ମହିଳା ସୁକାନ୍ତି ପଟେଲ, ସିରତୋଲର ସତ୍ୟଜୀତ ହରପାଲ, ଓମପ୍ରକାଶ ସାହୁ, ଅଭିଷେକ ଜଗତ, ସାଲେଭଟାର ବୈଷ୍ଣବ ତାଣ୍ଡି, ବରଗଡ଼ ଜିଲ୍ଲା ପାଇକମାଲ ଥାନା ମଣ୍ଡୋସିଲ ଗାଁର ନବୀନ କେତକୀ ସହ ଜଣେ ନାବାଳକଙ୍କୁ ଗିରଫ କରିଥିଲା । ସଂପୃକ୍ତ ଅଭିଯୁକ୍ତମାନେ କ୍ରାଇମ ସିଣ୍ଡିକେଟ କରି ବାହାରୁ କିଣି ଏଠି ବିକ୍ରି କରିବା ସହ ଅନ୍ୟତ୍ର ଠାଉଥିଲେ । ଏମାନେ ନୂଆପଡ଼ା ବରଗଡ଼, ପଦ୍ମପୁର, ପାଇକମାଲ, କୋମନା ବ୍ଳକ ଅଞ୍ଚଳରେ ଯୋଗାଣ କରୁଥିଲେ । ଆଜି ଅପରାହ୍ନରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀ ହାଜତକୁ ପଠାଇ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ଏଏସପି ରଂଜିତ ନାଏକ, ନୂଆପଡ଼ା ଆଇଆଇସି ଶ୍ରୀ ମେହେର, ଏସଆଇ ଶ୍ରୀ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।