କାର୍ ସହ ଗଞ୍ଜେଇ ଜବତ, ୨ ଗିରଫ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି । ଗତ ଦୁଇଦିନ ତଳେ ଫିରିଙ୍ଗିଆ ପୁଲିସ ଦୁଇଟି ଦାମୀ କାର ସହ ଚାରିଜଣ ବିହାରୀ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି ତାଙ୍କ ପାଖରୁ ବିପୁଳ ପରିମାଣର ପରିମାଣରେ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା । ଏହି ଘଟଣାକୁ ଦୁଇଦିନ ନପୂରୁଣୁ ପୁଣି ଫିରିଙ୍ଗିଆ ପୁଲିସ ଏକ କାର ସହ ୨୫ କିଲୋ ଗଞ୍ଜେଇକୁ ଜବତ କରିବା ସହ ଦୁଇଜଣ ଚାଲାଣକାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି । ତେବେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପଟାକେରି ଗାଁର ପାଣ୍ଡୁରୁ କହଁର ବୋଲି ଜଣାପଡିଥିବାବେଳେ ଅନ୍ୟଜଣେ ଫିରିଙ୍ଗିଆ ଥାନା ପଲାବୁଡି ପଞ୍ଚାୟତ ଅଧୀନରେ ଥିବା ଗଲେସୁଗା ଗାଁର ନୀଳକଣ୍ଠ କହଁର ବୋଲି ଜଣାପଡିଛି । ସୂଚନା ଅନୁସାରେ, ଗତ ଗୁରୁବାର ସନ୍ଧ୍ୟା ସମୟରେ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସକୁ ଏକ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଥିଲା । ଖବର ମିଳିବା ପରେ ସଦର ଏସ୍ଡ଼ିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ନିଦେ୍ର୍ଦଶକ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଦୀପକ କୁମାର ରାଉତଙ୍କ ସହ ଏଏସଆଇ ଶ୍ରୀକାନ୍ତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଗଞ୍ଜେଇ ଭର୍ତ୍ତି କାରକୁ କାଶିନୀପଦର ଗାଁ ପାଖ ରାସ୍ତାରେ ଧରିବାରେ ସଫଳ ହୋଇଥିଲେ । କାରଟିକୁ ଯାଞ୍ଚ କରିବା ସମୟରେ କାରର ଡ଼ିକିରୁ ୨୫ କିଲୋ ଗଞ୍ଜେଇ ବାହାରିଥିଲା ଏବଂ ଏହି ଗଞ୍ଜେଇ ଗୋଛାପଡା ଅଂଚଳରୁ ରାଜଧାନୀ ଭୁବନେଶ୍ୱରକୁ ଚାଲାଣ ହେଉଥିବା ଜଣାପଡିଥିଲା । ପରେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ୧୦୮/୨୦୨୫ ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ତଦନ୍ତ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଦୀପକ କୁମାର ରାଉତ ସୂଚନା ଦେଇଛନ୍ତି ।