ସାମ୍ବାଦିକଙ୍କୁ ମାଡ଼, ନାବାଳକ ସମେତ ୩ ଗିରଫ
ବଲାଙ୍ଗିର : ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା କୁଲଥିପାଲିରେ ଏକ ଗାର୍ଡୱାଲ କାମରେ ବ୍ୟାପକ ଦୁର୍ନୀତି ଖବର ପ୍ରସାରଣ ଯୋଗୁ ସ୍ଥାନୀୟ ଜଣେ ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗରେ ପୁଲିସ୍ ଜଣେ ନାବାଳକ ସମେତ ୩ଜଣଙ୍କୁ ଗିରଫ କରିଛି । ଗତ ୪ଦିନ ତଳେ ଏ ଘଟଣା ଘଟିଥିବା ବେଳେ ସାମ୍ବାଦିକଙ୍କୁ ଘୋଷାଡ଼ି ମାଡ଼ ମରା ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ଭିତ୍ତି କରି ସାମ୍ବାଦିକ ସଂଘ ପକ୍ଷରୁ ଏସ୍ପିଙ୍କୁ ଅବଗତ କରାଯିବା ପରେ ଆଜି ପୁଲିସ୍ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେପଟେ ସମ୍ପୃକ୍ତ ଠିକାଦାର ଫେରାର ଅଛନ୍ତି ଓ ତାଙ୍କୁ ଗିରଫ କରାଯିବ ବୋଲି ଏସ୍ପି ଅଭିଳାଷ ଜି କହିଛନ୍ତି । ସୂଚନାଯୋଗ୍ୟ ରବିବାର ଅପରାହ୍ଣରେ ସାମ୍ବାଦିକ ଜଣକ ଗାଁକୁ ଯାଇ ରାସ୍ତାର ଭିଡିଓ ଉତ୍ତୋଳନ କରୁଥିବା ବେଳେ ପ୍ରକଳ୍ପରେ ଜଡ଼ିତ କିଛି ଲୋକ ଆସି ତାଙ୍କୁ ହଠାତ ମରଣାନ୍ତକ ଆକ୍ରମଣ କରିଥିଲେ । ସମ୍ପୃକ୍ତ ସାମ୍ବାଦିକଙ୍କ ହାତବାନ୍ଧି ଘୋଷାଡ଼ି ଘୋଷାଡ଼ି ଗାଁ ମଝିକୁ ନେବା ସହ କଙ୍ଗାରୁକୋର୍ଟ ସ୍ୱରୂପ ସର୍ବସମ୍ମୁଖରେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସେଇ ଗୁଣ୍ଡାମାନେ ତାଙ୍କୁ ସ୍ଥାନୀୟ ମନ୍ଦିରକୁ ନେଇ ଆଗକୁ ଆଉ ଖବର ପ୍ରସାରଣ ନ କରିବାକୁ ସାମ୍ବାଦିକଙ୍କୁ ଶପଥ କରାଇଥିଲେ ।