ଦୁର୍ଦ୍ଦାନ୍ତ ମାଓବାଦୀ ହିଡ଼ମା ଗିରଫ


 ଭୁବନେଶ୍ୱର :  ମାଓବାଦୀ ଅଭିଯାନ କ୍ଷେତ୍ରରେ କୋରାପୁଟ ପୋଲିସକୁ ଏକ ବଡ ସଫଳତା ମିଳିଛି  ।  ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ଓରଫ ମୋହନକୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି  । ମାଓବାଦୀ ହିଡମା ଓରଫ ମୋହନ ଛତିଶଗଡ଼ର ବିଜାପୁର ଜିଲ୍ଲା ଉସୁର ଥାନା ଅଞ୍ଚଳର ନିବାସୀ ବୋଲି କୋରାପୁଟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ରୋହିତ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  ।
ସେ କହିଛନ୍ତିଯେ, ପୋଲିସ ତା’ନିକଟରୁ ଗୋଟିଏ ଏକେ-୪୭ ରାଇଫଲ୍, ୩୫ ରାଉଣ୍ଡ ଗୁଳି, ୨୭ ଇଲେକ୍ଟି୍ରକ୍ ଡିଟୋନେଟର୍, ୯୦ ନନ୍-ଇଲେକ୍ଟି୍ରକ୍ ଡିଟୋନେଟର୍, ୨ କେଜି ଗନ ପାଉଡର୍, ମାଓବାଦୀ ପୁସ୍ତିକା ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି । 
ଏସପି ଶ୍ରୀ ବର୍ମାଙ୍କ ସୂଚନା ମୁତାବକ, ଗତ ୨୮ ତାରିଖ ରାତିରେ ବୈପାରୀଗୁଡା ଥାନା ଅଧୀନ ପେଟଗୁଡା ଗାଁ ନିକଟସ୍ଥ ଜଙ୍ଗଲରେ କିଛି ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା  । ଜୟପୁର ଏସଡିପିଓ ଜୟପୁର ପାର୍ଥ କଶ୍ୟପଙ୍କ ନେତୃତ୍ୱରେ ଡିଭିଏଫ ଯବାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢାଉ ଆରମ୍ଭ ହୋଇଥିଲା  । ଘଟଣା ସ୍ଥଳରେ ମାଓବାଦୀମାନେ ଖସି ପଳାଇବାକୁ ଉଦ୍ୟମ ଆରମ୍ଭ କରି ଡିଭିଏଫ ଟିମ ଉପରେ ଗୁଳି ଚଳାଇଥିଲେ  । ଆତ୍ମରକ୍ଷା ପାଇଁ ଡିଭିଏଫ ଦଳ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ  । ଘଟଣାସ୍ଥଳରୁ କିଛି  ମାଓବାଦୀ ଖସି ପଳାଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜାମ ହିଡମା ପୋଲିସ ହାବୁଡରେ ପଡିଯାଇଥିଲା ବୋଲି ଏସପି ଶ୍ରୀ ବର୍ମା ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟଯେ, ୨୦୨୧ରେ ଛତିଶଗଡର ଚାନ୍ଦମେଟା, ୨୦୨୩ରେ କୋଲେଙ୍ଗଡବା, ୨୦୨୦ରେ ଓଡିଶାର କୋଣ୍ଡାଝରି ଏବଂ ୨୦୨୧ରେ କୁମ୍ଭିଖରିରେ ହୋଇଥିବା ମାଓବାଦୀ ଘଟଣାରେ ତାର ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଥିଲା  । ଏହା ସହ ଓଡିଶାରେ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନାରେ ୪ଟି ମାମଲା, ମାଲକାନଗିରି ଜିଲ୍ଲାର ମାଥିଲି ଥାନାରେ ୩ଟି ମାମଲା ରହିଛି  । ଏହାବ୍ୟତୀତ ଏକାଧିକ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଘଟିଥିବା ଗୁଳି ବିନିମୟ ଘଟଣାରେ ହିଡମା ଜଡିତ ଥିବାର ପୋଲିସ ସୂଚନା ପାଇଛି  । 
ମୋହନ ୨୦୦୭ରେ ସିପିଆଇ (ମାଓବାଦୀ) ସଂଗଠନରେ ଯୋଗ ଦେଇଥିଲେ  । ପ୍ରାରମ୍ଭରେ ମାଓବାଦୀଙ୍କ ସାଂସ୍କୃତିକ ଶାଖା ବାଲ୍ ସଂଘମ୍ ଏବଂ ଜନନାଟ୍ୟ ମଣ୍ଡଳୀ ରେ ସାମିଲ ହୋଇଥିଲେ । ୨୦୧୩ରୁ ୨୦୧୫ ମଧ୍ୟରେ ସେ ଉସୁର ଲୋକାଲ୍ ଅର୍ଗାନାଇଜେସନ୍ ସ୍କ୍ୱାଡ୍ ଅଧୀନରେ ଜଣେ ଦଳୀୟ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ  । ୨୦୧୬ରେ ସେ ଆନ୍ଧ୍ର-ଓଡିଶା ବର୍ଡର ପ୍ଲାଟୁନରେ କାର୍ଯ୍ୟ କରିବା ସହ ୨୦୧୯ରେ ତାଙ୍କୁ ଏସିଏମ୍ ପଦବୀକୁ ପଦୋନ୍ନତି ଦିଆଯାଇଥିଲା  । ୨୦୨୧ରୁ ୨୦୨୨ ପର୍ଯ୍ୟନ୍ତ ତାଙ୍କୁ ଏଓବି ପ୍ଲାଟୁନ୍ ସେକ୍ସନ୍ -୦୧ ରେ ନିଯୁକ୍ତି ଦିଆଯାଇଥିଲା  । ୨୦୨୩ ମସିହାରେ ତାଙ୍କୁ ସୁକମା ଜିଲ୍ଲା ଅନ୍ତର୍ଗତ କେରଲାପାଲ ଅଞ୍ଚଳରେ ପ୍ଲାଟୁନ-୨୪କୁ ସ୍ଥାନାନ୍ତର କରାଯାଇଥିଲା  । ୨୦୨୪ ମସିହାରେ, ସେ ଅସ୍ଥାୟୀ ଭାବରେ ପ୍ଲାଟୁନ-୨୬କୁ ସ୍ଥାନାନ୍ତରିତ ହୋଇ ସୁକମାର ମାଲେନଗିରି ଅଞ୍ଚଳରେ କାର୍ଯ୍ୟ କରୁଥିଲେ  । ସେ ୨୦୨୫ ମସିହା ମେ ମାସରେ ଏଓବି ୟୁନିଟକୁ ଫେରି ଆସି ଛତିଶଗଡ଼ର ଦକ୍ଷିଣ ବସ୍ତର ଏବଂ କେରଲାପାଲ ଅଞ୍ଚଳରେ ସୁରେଶଙ୍କ ଅଧୀନରେ ଏସିଏମ ଭାବରେ କାର୍ଯ୍ୟ କରୁଥିଲେ ।