‘ଇଡ଼ି’କୁ ଧରିଲା ‘ସିବିଆଇ’


ଭୁବନେଶ୍ୱର: ମାମଲା ରଫାଦଫା କରିବା ପାଇଁ ଖଣି ବ୍ୟବସାୟୀଙ୍କ ସହ ହୋଇଥିଲା ୨ କୋଟିର ଡିଲ୍  । ପୂର୍ବରୁ ୫୦ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିବାବେଳେ ଆଜି ୨୦ ଲକ୍ଷ ଟଙ୍କା ନେବାକୁ କଥା ବି ତୁଟିଥିଲା  । ହେଲେ ଚାଲାକି କରି ଖଣି ବ୍ୟବସାୟୀ ଜଣଙ୍କ ସିବିଆଇଙ୍କୁ ଖବର ଦେଇଥିଲେ  । ରଙ୍ଗେ ହାତ୍ ଧରିବା ପାଇଁ ସିବିଆଇ ଜାଲ୍ ବିଛାଇଥିଲା  । ଶେଷରେ ସିବିଆଇ ଜାଲରେ ଧରାପଡ଼ିଥିଲେ ଜଣେ ମଧ୍ୟସ୍ଥି  । ତାଙ୍କର ଇଡ଼ିର ଜଣେ ବଡ଼ ଅଧିକାରୀଙ୍କ ସହ ସଂପର୍କ ଥିବାବେଳେ ଅଡ଼ିଓ ରେକର୍ଡ଼ିଂରୁ ଗୁମର ଖୋଲିଥିଲା  । ଏହି ଘଟଣା ଖାଲି ରାଜଧାନୀରେ ନୁହେଁ ବରଂ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି  ।
ଘଟଣାଟି ଏମିତି  । ଢେଙ୍କାନାଳର ଖଣି ବ୍ୟବସାୟୀ ରତିକାନ୍ତ ରାଉତ (ଜୁଲୁ)ଙ୍କ ଉପରେ ବାରବାର ଇଡ଼ି ଚଢ଼ାଉ ହୋଇଥିଲା  । ମାମଲା ରଫାଦଫା ପାଇଁ ୨ କୋଟିର ଡିଲ୍ ହୋଇଥିଲା  । ଡରରେ ରତିକାନ୍ତ ପ୍ରଥମେ ୫୦ ଲକ୍ଷ ଟଙ୍କା ଦେଇଥିଲେ  । କିନ୍ତୁ ପୁଣି ଚଢ଼ାଉର ଡରାଣ ଦେଖାଇ ଜଣେ ଦଲାଲ ଟଙ୍କା ମାଗିବାରୁ ରତିକାନ୍ତ ଚିନ୍ତାରେ ପଡ଼ିଯାଇଥିଲେ  । ଶେଷରେ ଅନ୍ୟ ବାଟ ନପାଇ ରତିକାନ୍ତ ସିବିଆଇର ଦ୍ୱାରସ୍ଥ ହୋଇଥିଲେ  । ଟ୍ରାପ ଲେଇଙ୍ଗ ଅଫିସର ଏଲକେ ବର୍ମାଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା  । ନୟାପଲ୍ଲୀରେ ହୋଇଥିବା ଡିଲ୍ ସ୍ଥାନରେ ପୂର୍ବରୁ ସିବିଆଇ ଅଧିକାରୀ ଛକି ବସିଥିଲେ  । ଆଜି ୨୦ ଲକ୍ଷ ଟଙ୍କା ଦେବେବୋଲି ରତିକାନ୍ତ ସଂପୃକ୍ତ ମଧ୍ୟସ୍ଥିଙ୍କୁ ଫୋନ୍ କରିଥିଲେ  । ଯାହାର ଟେର କେହି ପାଇନଥିଲେ  । ବ୍ୟବସାୟୀଙ୍କ ଠାରୁ ଟଙ୍କା ନେବାବେଳେ ସିବିଆଇ ସଂପୃକ୍ତ ମଧ୍ୟସ୍ଥିକୁ ମାଡ଼ି ବସିଥିଲା  । ତେବେ ଖୋଳତାଡ଼ ପରେ ଚିନ୍ତନଙ୍କର ଅଡ଼ିଓ ରେକର୍ଡ଼ିଂ ଆଧାରରେ ସେ ସିବିଆଇର ସ୍କାନରକୁ ଆସିଥିଲେ  । ତୁରନ୍ତ ତାଙ୍କୁ ସିବିଆଇର ଭୁବନେଶ୍ୱର ଅଫିସକୁ ନିଆଯାଇ ମଧ୍ୟସ୍ଥିଙ୍କ ସହ ସାମ୍ନାସାମ୍ନି କରି ପଚରାଉଚରା ଜାରିରହିଛି  । ଅପରପକ୍ଷରେ ଇଡ଼ି ମଧ୍ୟ ନିଜ ଆଡ଼ୁ ଖୋଳତାଡ଼ ଆରମ୍ଭ କରିଦେଇଥିବା ଜାଣିବାକୁ ମିଳିଛି  । ସିବିଆଇ ଡିଏସପି ପଙ୍କଜ ବିଷ୍ଟଙ୍କ ନେତୃତ୍ୱରେ ଏକ ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି  ।