ଅବହେଳିତ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
ଖଇରାରୁ ବଳରାମ ଲେଙ୍କା: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଜିଲ୍ଲାର ଉପାନ୍ତବର୍ତ୍ତୀ ଅଞ୍ଚଳ ଭାବେ ପରିଗଣିତ । ଖଇରାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ୧୯୩୬ ମସିହାରେ ସ୍ଥାପନା ହୋଇଥିବା ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଅଧିକଂଶ ଅଞ୍ଚଳ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, କର୍ମଚାରୀ, ଅତ୍ୟାଧୁନିକ ଉପକରଣ ଅଭାବ ଯୋଗୁଁ ଏହା ଭରସା କରୁଥିବା ହଜାର ହଜାର ରୋଗୀ ଚିନ୍ତା ପ୍ରକଟ କରିଛନ୍ତି । ବାରମ୍ବାର ଏ ନେଇ ଅବଗତ କରାଯିବା ସତ୍ତ୍ୱେ ପ୍ରତିକାର ନ ହେବା ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ପଦାରେ ପକାଇଛି । ତୁରନ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବାକୁ ଖଇରା ବିକାଶ ପରିଷଦ, ବରିଷ୍ଠ ନାଗରିକ ମଞ୍ଚ, ପ୍ରତିଭା ପରିବାର ଭଳି ସଂଗଠନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଖଇରା ବ୍ଲକର ୩୭ ପଞ୍ଚାୟତ ସମେତ ପଡୋଶୀ ଔପଦା, ହାଟଡିହି, କପ୍ତିପଦା ଇତ୍ୟାଦି ବ୍ଲକର ରୋଗୀମାନେ ମଧ୍ୟ ନିର୍ଭର କରିଥାନ୍ତି । ୫ବର୍ଷ ରୋଗୀ ସଂଖ୍ୟା ହିସାବକୁ ନେଲେ ୨୦୨୦-୨୧ରେ ୧ଲକ୍ଷ୦୩ହଜାର୯୨୩ରୋଗୀ, ୨୦୨୧-୨୨ରେ ୧ଲକ୍ଷ୧୬ ହଜାର ୪୭୭ରୋଗୀ,୨ ୦୨୨-୨୩ରେ ୧ଲକ୍ଷ ୩୪ହଜାର ୮୫୨ ରୋଗୀ, ୨୦୨୩-୨୪ରେ ୧ଲକ୍ଷ ୪୧ ହଜାର ୮୩୩ ରୋଗୀ,୨୦୨୪-୨୫ରେ ୧ଲକ୍ଷ ୫୮ହଜାର ୩୧୮ ରୋଗୀ ଖଇରାରେ ଚିକିତ୍ସିତ ହୋଇଛନ୍ତି । ତେବେ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ ଏବଂ ଡିଜିଟାଲ ଏକ୍ସରେ ନଥିବା କାରଣରୁ ଦୂରଦୁରାନ୍ତରୁ ଆସୁଥିନା ଦିନ ମଜୁରିଆ ଶ୍ରେଣୀର ରୋଗୀଙ୍କୁ ଖର୍ଚ୍ଚାନ୍ତ ହୋଇ ଭଦ୍ରକ ଓ ବାଲେଶ୍ୱରକୁ ଯିବାକୁ ପଡିଥାଏ । ସେହିଭଳି ଖଇରା ଭଳି ସିଏଏସି ପାଇଁ ୫ଜଣ ବିଶେଷଜ୍ଞ ରହିବାର ନିୟମ ଥିଲେ ବର୍ତ୍ତମାନ ଶିଶୁରୋଗ, ଶଲ୍ୟ ଓ ଦାନ୍ତ ବିଶେଷଜ୍ଞ ପଦବୀ ବର୍ଷ ବର୍ଷ ଧରି ଖାଲି ପଡିଛି । ଏହାଛଡା ୨୭ ଏମ୍ବିବିଏସ ପଦବୀ ଥିବା ବେଳେ ମାତ୍ର ୬ଜଣ ଥିବାରୁ ଏତେ ସଂଖ୍ୟକ ରୋଗୀଙ୍କୁ ଉପଯୁକ୍ତ ସେବା ପ୍ରଦାନ ଆଶା କରିବା ବୃଥା । ଏତଦ୍ ଭିନ୍ନ ୨୬ ଏଏନଏମ, ୪୯ ପୁରୁଷ ସ୍ୱାସ୍ଥ୍ୟ କର୍ମୀ,୧୨ ମହିଳା ସୁପରଭାଇଜର, ୩ ପୁରୁଷ ସୁପରଭାଇଜର, ଏକମାତ୍ର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପଦବୀ ଖାଲି ପଡିଥିବା କାରଣରୁ ରୋଗୀମାନଙ୍କୁ ଅନ୍ୟାନ୍ୟ ଆନୁସଙ୍ଗିକ ସେବା ଠିକ ଭାବେ ଉପଲବ୍ଧି କରାଯାଇପାରୁନାହିଁ । ସବୁଠାରୁ ବିଡମ୍ବନା ବିଷୟ ଏହି କି ଯେ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟବରଣ କରୁଥିବା ବ୍ୟକ୍ତିଙ୍କ ମୃତଶରୀର ରଖିବାକୁ ସ୍ୱତନ୍ତ୍ର ଶବଗୃହ ନଥିବା ବେଳେ ଶବ ବ୍ୟବଚ୍ଛେଦର ବ୍ୟବସ୍ଥା ନଥିବାରୁ ମୃତବ୍ୟକ୍ତିଙ୍କ ଆତ୍ମୀୟସ୍ୱଜନଙ୍କୁ ଖୋଲାବାରଣ୍ଡାରେ ଶୀତ କାକରରେ ରାତି ବିତାଇବାକୁ ପଡେ, ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ତେବେ ଏହି ସବୁ ପ୍ରସଙ୍ଗକୁ ନେଇ ମେ’ ୭ତାରିଖରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ଲୋକ ପ୍ରତିନିଧିମାନେ ଏକସ୍ୱରରେ ଖଇରା ମେଡିକାଲ ସ୍ୱାସ୍ଥ୍ୟବ୍ୟବସ୍ଥା ସୁଧାରିବା ପାଇଁ ବିଧାୟକ ଓ ସାଂସଦଙ୍କ ନିକଟରେ ଦାବି ଉପସ୍ଥାପନା କରିଥିଲେ ।