କଫି ବିକାଶ ଟ୍ରଷ୍ଟ ବୋର୍ଡ ବୈଠକ

 କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲ ପରିସରରେ କଫି ବିକାଶ ଟ୍ରଷ୍ଟ(ସିବିଟି) ବୋର୍ଡ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ଥାୟୀ ଜୀବିକା ପାଇଁ କଫି ବୃକ୍ଷରୋପଣ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା । କଫି ମିଶନ ଅଧିନରେ କଫି ଚାଷ ଯୋଗୁଁ ବାଂଶପାଳ ଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳର ବହୁ ଲୋକ ସ୍ଥାୟୀ କର୍ମ ନିଯୁକ୍ତି ପାଇଛନ୍ତି ।  ଆସନ୍ତା ୨୦୨୬-୨୭ ବର୍ଷ ପାଇଁ ବାଂଶପାଳ ବ୍ଲକରେ ୧୫୦୦ ହେକ୍ଟର ଜମିରେ ଛାଇ ବୃକ୍ଷ ଏବଂ ୮୦ ହେକ୍ଟର ଜମିରେ କଫି ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଚଳିତ ବର୍ଷରେ ଗୋନାସିକା,ତରମାକାନ୍ତ ଏବଂ ଜମ୍ବିରିପଶିରେ ଥିବା ନର୍ସରୀରେ ଚାରା ପ୍ରସ୍ତୁତ କରାଯିବ । ଚଳିତ ବର୍ଷ ଛାଇ ବୃକ୍ଷ ଚାରା ବନ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଛି । ୨୦୨୫-୨୬ ଆର୍ଥିକ ବର୍ଷରେ ବାଂଶପାଳ ବ୍ଲକରେ ୮୦୦ ହେକ୍ଟର ଜମିରେ ଛାଇ ବୃକ୍ଷରୋପଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଅଦ୍ୟାବଧି ୫୦୦ ହେକ୍ଟର ଜମିରେ ଛାଇ ବୃକ୍ଷରୋପଣ କାର୍ଯ୍ୟ ସରିଲାଣି । ଚଳିତ ଆର୍ଥିକ ବର୍ଷରେ ଛାଇ ବୃକ୍ଷରୋପଣ ହୋଇଥିବା ତରମାକାନ୍ତ, କୁଅଁର ଏବଂ ଗୋନାସିକାରେ  ୩୦ ହେକ୍ଟର ଜମିରେ କଫି ବୃକ୍ଷରୋପଣ କରାଯାଇଛି । କଫି ବିକାଶ ଟ୍ରଷ୍ଟ(ସିବିଟି)ବୋର୍ଡ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଜଳ ବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ଅଶୋକ କୁମାର ସେନାପତି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପର୍ଶୁରାମ ବେହେରା, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ ପ୍ରଦୀପ କୁମାର ରାଉତ, ସହକାରୀ ବନ ସଂରକ୍ଷକ ଅଶୋକ କୁମାର ଦାସ, ଉଦ୍ୟାନ ବିଭାଗ ସହକାରୀ ନିଦେ୍ର୍ଦଶକ ଗୋବିନ୍ଦ ଚନ୍ଦ୍ର ମେହେର, ଅତିରିକ୍ତ ତହସିଲଲଦାର ପୁରୁଷୋତ୍ତମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।