ରାଜଧାନୀରୁ ୫୦ଟି ନେଟୱାର୍କ ଯନ୍ତ୍ରାଂଶ ଚୋରି
ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ୫୦ରୁ ଅଧିକ ସ୍ମାଟସିଟି ପ୍ରକଳ୍ପର ନେଟୱାର୍କ ଯନ୍ତ୍ରାଂଶ ଚୋରି ନେଇ, ଅଭିଯୋଗକାରୀ ଦୁର୍ଯ୍ୟଧନ ପରିଡା ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକାରୀଙ୍କ ରିପୋର୍ଟ ଆଧାରରେ, ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ମାମଲାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ କଦମ୍ଲାଲ ଜେନା ଓରଫ ବାଦଲ ଓ ଜିତେନ୍ଦ୍ର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ “କ୍ୱାଡଗେନ ୱେୟାରଲେସ ସଲୁ୍ୟସନ୍ସ ପ୍ରାଇଭେଟ ଲିମିଟେଡ” କମ୍ପାନୀରେ ଫିଲ୍ଡ ଅଫିସର ଭାବେ କାର୍ଯ୍ୟ କରନ୍ତି, ଯାହାକି ସ୍ମାର୍ଟ ସିଟି ପ୍ରକଳ୍ପକୁ ସେବା ଯୋଗାଇ ଆସୁଛି । ଗତ କାଲି ତଥା ଗୁରୁବାର ବିଳମ୍ବିତ ରାତିରେ ବଢେଇବାଙ୍କ ଛକ ନିକଟରେ ସାଇଟ ଡାଉନ ହେବା ନେଇ ତାଙ୍କ ନିକଟକୁ ସୂଚନା ଆସିଥିଲା । ଏହି ସୂଚନା ପାଇ ଅଭିଯୋଗକାରୀଙ୍କ ଅଧୀନରେ ଏକ ୱାଇଫାଇ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ବେଳେ, ସେଠାରୁ କିଛି ନେଟୱାର୍କ ଯନ୍ତ୍ରାଂଶ ଚୋରୀ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଏହିଭଳି ଭାବେ ଗତ ୧୫ ଦିନ ମଧ୍ୟରେ କ୍ୟାପିଟାଲ ଥାନା ଓ ଖାରବେଳନଗର ଥାନା ପରିସର ଅଞ୍ଚଳରୁ ପ୍ରାୟ ୫୦ଟି ନେଟୱାର୍କ ଯନ୍ତ୍ରାଂଶ ଚୋରି ହୋଇଯାଇଥିବା ଅଭିଯୋଗକାରୀ ଜାଣିବାକୁ ପାଇଥିଲେ । ପରେ ସେ ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ତଦନ୍ତ ଚଳାଇ ଘଟଣା ସ୍ଥଳ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚକରି ଦୁଇ ଅଭିଯୁକ୍ତ ଉପରୋକ୍ତ ଚୋରୀରେ ସାମିଲ ଥିବା ଜାଣିବାକୁ ପାଇଥିଲେ । ମାମଲାର ତଦନ୍ତ ଏକ କାଳରେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ପୁଲିସ ମୁଳାପଡିଆ ନିକଟରେ ଅତର୍କିତ ଚଢଉ କରି ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଥିବା ବେଳେ, ଉଭୟଙ୍କ ହେପାଜତରୁ ଚୋରି ସାମଗ୍ରୀ ସବୁକୁ ଜବତ କରିଥିଲେ । ଦୁଇ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ଖାରବେଳନଗର ଥାନାରେ ଏକ ମାମଲା ରହିଛି । ସେହିପରି ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ କଦମଲାଲ ଜେନା ଓରଫ ବାଦଲଙ୍କ ନାମରେ ପୂର୍ବରୁ ମଧ୍ୟ କ୍ୟାପିଟାଲ ଥାନାରେ ୨ଟି ଓ ବଡଗଡ ଥାନାରେ ଗୋଟିଏ ମାମଲା ରହିଥିବା ଜଣାପଡିଛି ।