‘ଆଇ ଲଭ୍ ମହମ୍ମଦ’ ବିବାଦ ପଛର ମୁଖ୍ୟ ଅଭିଯୁକ୍ତ ମୌଲବୀ ଗିରଫ
ଉତ୍ତରପ୍ରଦେଶର ବରେଲିରେ ‘ଆଇ ଲଭ୍ ମହମ୍ମଦ’ ଅଭିଯାନକୁ ସମର୍ଥନ କରି ବିକ୍ଷୋଭ କରିବା ଲାଗି ଆହ୍ବାନ ଦେଇଥିବା ସ୍ଥାନୀୟ ମୌଲବୀ ତଥା ଇତ୍ତେହାଦ-ଇ-ମିଲାତ କାଉନ୍ସିଲ୍ ମୁଖ୍ୟ ତୌକିର ରଜା ଖାନ୍ଙ୍କ ସମେତ ୮ ଜଣଙ୍କୁ ପୋଲିସ ଗିରଫ କରିଛି। ବରେଲିରେ ଶୁକ୍ରବାର ନମାଜପାଠ ପରେ ବିକ୍ଷୋଭକାରୀ ଓ ପୋଲିସ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏହା ପଛର ମାଷ୍ଟରମାଇଣ୍ଡ ରାଜା ଓ ଅନ୍ୟ ୭ ଜଣଙ୍କୁ ଶନିବାର ସ୍ଥାନୀୟ ଅଦାଲତ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଜେଲ ଯାଇଥିବା ଅନ୍ୟ ୭ ଜଣ ହେଲେ ସରଫରାଜ, ମୁନିଫୁଦ୍ଦିନ୍, ଅଜିମ ଅହମଦ, ମହମ୍ମଦ ଶରିଫ, ମହମ୍ମଦ ଆମିର, ରେହାନ ଏବଂ ମହମ୍ମଦ ସରଫରାଜ। ହିଂସାକାଣ୍ଡରେ ସମ୍ପୃକ୍ତି ନେଇ ପୋଲିସ ୩୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଇତିମଧ୍ୟରେ ରାଜାଙ୍କ ସମେତ ୨୫ ଜଣ ଏବଂ ୨୦୦ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି।
ବିକ୍ଷୋଭ ପରେ ବାରାବାଙ୍କୀ ଏବଂ ମଉ ଜିଲାରେ ଉତ୍ତେଜନା ଲାଗି ରହିଛି। ଶନିବାର ଉକ୍ତ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବଳ ନିୟୋଜିତ ହୋଇଥିବାବେଳେ ଇଣ୍ଟରନେଟ୍ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଅପରାଧମାନଙ୍କୁ ଧରିବା ପାଇଁ ପୋଲିସ ଶୁକ୍ରବାର ରାତିରେ ଘରକୁ ଘର ଯାଇ ଚଢ଼ାଉ କରିଥିଲା।