୩ ବର୍ଷରେ ଏହି କିରାଣିଙ୍କ ବଦଳି ବାଧ୍ୟତାମୂଳକ!

୩ ବର୍ଷରେ ଏହି କିରାଣିଙ୍କ ବଦଳି ବାଧ୍ୟତାମୂଳକ!

ଭୁବନେଶ୍ୱର:  ଶିକ୍ଷା ବିଭାଗରେ କାର୍ଯ୍ୟରତ କିରାଣି(ମିନିଷ୍ଟେରିଆଲ ଷ୍ଟାଫ୍‌)ଙ୍କର ୩ ବର୍ଷରେ ବଦଳି ବାଧ୍ୟତାମୂଳକ କରାଯାଇଛି। ଯେଉଁ କିରାଣିମାନେ ଗୋଟିଏ ସ୍ଥାନରେ ୩ବର୍ଷ କିମ୍ବା ତା’ଠାରୁ ଅଧିକ ଦିନ ରହିଛନ୍ତି, ସେମାନଙ୍କୁ ତୁରନ୍ତ ବଦଳି କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ଅଗଷ୍ଟ ୨୦ରେ ସାଧାରଣ ପ୍ରଶାସନ ବିଭାଗର ନିୟମ ଅନୁଯାୟୀ ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଥିବା କିରାଣିଙ୍କ ମଧ୍ୟରୁ ୫୦ପ୍ରତିଶତ ବଦଳି କରିବାକୁ ନିଦ୍ଦେର୍ଶ ଦିଆଯାଇଛି। ଅବଶିଷ୍ଟ ୫୦ ପ୍ରତିଶତ କିରାଣିଙ୍କୁ ଆସନ୍ତା ବର୍ଷ ବଦଳି କରାଯିବ। ଯେଉଁମାନେ ଅଧିକ ବର୍ଷ ଧରି ରହିଛନ୍ତି, ସେମାନଙ୍କୁ ପ୍ରଥମେ ବଦଳି ଦିଗରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ତେବେ ଏହି ନିୟମ ଶିକ୍ଷକଙ୍କ ପାଇଁ ଲାଗୁ କରାଯିବ ନାହିଁ। ପ୍ରତିବର୍ଷ ଏପ୍ରିଲ ୩୦ରୁ ୧୫ ଜୁନ ମଧ୍ୟରେ ସାଧାରଣ ବଦଳି କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବ। ଏହି ସମୟ ସୀମା ପରେ ଯଦି କାହାକୁ ବଦଳି କରାଯାଏ, ତେବେ ଏଥିପାଇଁ ଅଧିକାରୀଙ୍କ ଅନୁମୋଦନର ଆବଶ୍ୟକତା ରହିଛି। ଏହି ସମସ୍ତ କାର୍ଯ୍ୟକୁ ଠିକ୍‌ ଭାବେ ପାଳନ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।