ଓକିଲଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

ାା ପ୍ରଭାନୁ୍ୟଜ୍ ।ା ବୁଗୁଡା: ବୁଗୁଡା ଅଞ୍ଚଳର ବହୁ ଚର୍ଚ୍ଚିତ ଓକିଲ ଆଶିଷ କୁମାର ରାଉତଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି  । ଗିରଫ ଯୁବକ ଜଣକ ହେଲେ ବୁଗୁଡା ଥାନା ଅନ୍ତର୍ଗତ ନାଗିରି ଗ୍ରାମର କାଳୁ ଚରଣ ପ୍ରଧାନ (୪୦) । ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୪୪୬/୨୪ରେ ଏକ ମାମଲା ରୁଜୁ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ସେପ୍ଟେମ୍ବର ୨୪ ତାରିଖ ପୂର୍ବାହ୍ନ ସାଢେ ଦଶଟା ବେଳେ ଓକିଲ ଆଶିଷ ତାଙ୍କର ସ୍ତ୍ରୀଙ୍କୁ ନାଗିରି ଅଙ୍ଗନୱାଡି କେନ୍ଦ୍ରରେ ଛାଡି ନିଜ ଗାଁ ମୋଟାବାଡିକୁ ଫେରୁଥିବା ବେଳେ ପୂର୍ବରୁ ଏକ ବାଇକରେ ଆସି ବାଟରେ ଛକିଥିବା ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବେ ଲୁହା ରଡରେ ଆକ୍ରମଣ କରିବା ସହ ପର୍ସ, ମୋବାଇଲ୍ ଫୋନ୍ ଆବଶ୍ୟକୀୟ କାଗଜପତ୍ର ବାଇକ୍ ଡିକିରୁ ବାହାର କରି ନେଇଯାଇଥିଲେ । ଉକ୍ତ ଆକ୍ରମଣ ଘଟଣା ସମ୍ପର୍କେ ତଦନ୍ତ କାଳରେ ପୋଲିସ ମୋଟାବାଡି ଗ୍ରାମର ଜନୈକ ଯୁବକକୁ ଥାନାକୁ ଡକାଇ ଆଣିଥିଲେ ଏବଂ ପର ମୁହୂର୍ତ୍ତରେ ତାଙ୍କୁ ଛାଡ଼ି ଦେଇଥିଲେ । ଓକିଲ ସଂଘର ଚେତାବନୀ ଅବଧିର ଅନ୍ତ ଘଟିଥିଲେ ବି ପୋଲିସ କୌଣସି ଅଭିଯୁକ୍ତକୁ ଗିରଫ କରିପାରିବାରେ ସକ୍ଷମ ହୋଇପାରିନଥିବାରୁ ସଂଘର ଓକିଲମାନେ ଗତ ଅକ୍ଟୋବର ୭ ପୋଲିସ ଥାନା ସମ୍ମୁଖରେ ଧାରଣାରେ ବସିବାକୁ ବାଧ୍ୟ ହୋଇଥିଲେ । ଧାରଣା ସ୍ଥଳରେ ଭଞ୍ଜନଗର ଏସଡିପିଓ ସୁଜିତ କୁମାର ନାୟକ ପହଞ୍ଚି ପୁଣି ୭ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ନିଶ୍ଚିତ ଭାବେ ଗିରଫ କରାଯିବା ନେଇ ପ୍ରତିଶ୍ରୁତି ଦେଇ ଓକିଲଙ୍କୁ ଧାରଣାରୁ କ୍ଷାନ୍ତ କରିବାରେ ସଫଳ ହୋଇଥିଲେ । ତେବେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ଦେଇଥିବା ପ୍ରତିଶ୍ରୁତିର ସମୟ ଅବଧି ସରିବାକୁ ବସିଥିବା ବେଳେ ଓକିଲଙ୍କ ଆଉ ଏକ ପ୍ରତିବାଦର ସମ୍ମୁଖୀନରୁ ବର୍ତ୍ତିବା ପାଇଁ ନାଗିରି ଗ୍ରାମର କାଳୁ ଚରଣ ପ୍ରଧାନଙ୍କୁ ଓକିଲ ଆକ୍ରମଣ ଘଟଣାର ଅଭିଯୁକ୍ତ ଭାବେ ଗିରଫ କରି ଗତକାଲି କୋର୍ଟ ଚାଲାଣ କରିଥିଲା । ତେବେ ଘଟଣାର ୨୦ ଦିନ ପରେ ଜଣଙ୍କୁ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ କେବେ ଗିରଫ କରିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଥିବା ଜଣାଯାଇଛି  ।