ଖେଳିବାକୁ ଯାଇ କେନାଲରେ ଭାସିଗଲେ ଦୁଇ ନାବାଳକ

ାା ପ୍ରଭାନୁ୍ୟଜ୍ ।ା ସୋର: ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ମଙ୍ଗଳପୁର ନିକଟରେ ତିନିଜଣ ସାଙ୍ଗ ଖେଳିବାକୁ ଯାଇଥିବା ବେଳେ ଦୁଇଜଣ କେନାଲରେ ଭାସିଯାଇ ପାଣିରେ ବୁଡି ମୃତୁ୍ୟ ବରଣ କରିଛନ୍ତି । ଏକ ଘଣ୍ଟାର ପରିଶ୍ରମ ପରେ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଦୀର୍ଘ ସମୟ ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରି ସୋର ମେଡିକାଲକୁ ଆଣିଛନ୍ତି । ସୂଚନା ଅନୁସାରେ ଆଜି ଅପରାହ୍ଣରେ ଗୋପୀନାଥପୁର ପଞ୍ଚାୟତ ବରିସାହିର ହିମାଂଶୁ ନାୟକଙ୍କ ଏକମାତ୍ର ପୁଅ ସାଇ ମହେଶ ନାୟକ (୧୦), ମାମୁଁ ଘରକୁ ଆସିଥିବା ଅଲ୍ଲିପୁର ଗ୍ରାମର ଅଶୋକ ଦାସଙ୍କ ପୁଅ ହରିହର ଦାସ (୧୩) ଓ ଅନ୍ୟ ଜଣେ ନାବାଳକ ସାଙ୍ଗ ହୋଇ ନିକଟସ୍ଥ କେନାଲ ପାଖକୁ ଖେଳିବାକୁ ଯାଇଥିଲେ । ଏହି ସମୟରେ କେନାଲର ଶିଉଳିରେ ଗୋଡ଼ ଖସିଯିବାରୁ ହରିହର ଓ ସାଇ ମହେଶ ଭାସିଯାଇଥିଲେ । ସାଙ୍ଗରେ ଥିବା ଅନ୍ୟଜଣେ ସାଙ୍ଗ ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ । ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଖୋଜାଖୋଜି କରିବା ସହିତ ସୋର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ୱ ସମୟ ଖୋଜାଖୋଜି କରିବା ପରେ ସାଇ ମହେଶକୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ପଠାଇଥିଲେ । ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ଅଗ୍ନିଶମ କର୍ମଚାରୀମାନେ ହରିହରକୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ପଠାଇ ଥିଲେ ।ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ବିଧାୟକ ମାଧବ ଧଡ଼ା, ବ୍ଲକ ଉପାଧକ୍ଷ ଭ୍ରମରବର ନାୟକ, ସୋର ଥାନାଧିକାରୀ ସୋର ଡାକ୍ତରଖାନା ଏବଂ ଘଟଣାସ୍ଥଳରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ପୁଲିସ ଡାକ୍ତରଖାନାରେ ପହଁଚି ଶବ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।