ମହିଳାଙ୍କ ବେକରୁ ସୁନାହାର ଓ ଚେନ୍ ଲୁଟ୍ ଘଟଣା, ୩ ଗିରଫ

ହିଞ୍ଜିଳିକାଟୁ : କନିଷିହାଟ ଗ୍ରାମର ରବି ଚୌଧୁରୀ ଓ ତାଙ୍କ ସ୍ତ୍ରୀ ରଞ୍ଜିତା ଚୌଧୁରୀ ମୋଟର ସାଇକେଲ ଯୋଗେ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବାକୁ ଯାଉଥିବା ସମୟରେ ହିଞ୍ଜିଳି ଥାନା ପୋଚିଲିମା- ସୋମପୁର ମଧ୍ୟବର୍ତ୍ତୀ ସନ୍ତୋଷୀ ମା'ମନ୍ଦିର ନିକଟରେ  ହେଲମେଟ ଓ ମାସ୍କ ପରିଧାନ କରିଥିବା ୨ ଜଣ ଦୁବୃର୍ତ୍ତ ମୋଟର ସାଇକେଲ ଯୋଗେ ଆସି ଦମ୍ପତିଙ୍କୁ ଆସିକା ଯିବା ପାଇଁ ରାସ୍ତା ପଚାରିଥିଲେ । ପରେ ମହିଳାଙ୍କ ବେକରୁ ପ୍ରାୟ ଅଢେଇ ଭରି ଓଜନର ଏକ ସୁନା ଚେନ୍ ଓ ଗୋଟିଏ ହାର ଝାମ୍ପିନେଇ କ୍ଷିପ୍ର ଗତିରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ନେଇ ରବି ଚୌଧୁରୀ ସୋମବାର ରାତିରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ୍ ନଂ- ୧୯୧/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଲୁଟ୍ ନିକଟସ୍ଥ ଅଞ୍ଚଳର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରି ମଙ୍ଗଳବାର ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସମେତ ଏକ ସ୍ୱତନ୍ତ୍ର ଟିମ୍ ବ୍ରହ୍ମପୁର ଅଞ୍ଚଳରେ ଅର୍ତକିତ ଚଢାଉ କରିଥିଲେ ।  ଚଢାଉ ବେଳେ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଲୁଟି ନେଇଥିବା ଏକ ସୁନା ଚେନ ଜବତ କରିଛି । ଗିରଫ ମାନେ ହେଲେ ପାତ୍ରପୁର ଧୋବା ସାହିର ମୁରଲି ସେଠି (୨୬), ବଜାର ସାହିର ରଞ୍ଜନ ସାହୁ (୨୨) ଓ ଲୁଟ୍ ସୁନା କିଣିଥିବା ସୁନା ବ୍ୟବସାୟୀ ଜରଡା ଥାନା ବାରତଳ ଛକର ଗୋବର୍ଦ୍ଧନ ନାୟକ (୨୯)  । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୧୧୯/୨୫ ରେ ଏକ ମାମଲା ରୁଜୁ କରି ଗିରଫ ୩ ଯୁବକଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।