ଏସିଆର ତୃତୀୟ ମହାଶକ୍ତି

ଏସିଆର ତୃତୀୟ ମହାଶକ୍ତି

ସତ୍ୟ ମହାପାତ୍ର:  ବିଶ୍ୱ ଦରବାରରେ ଭାରତର ସ୍ଥିତି ମଜଭୁତ ହେଉଛି । ଭାରତ ବିଶ୍ୱଗୁରୁ ପାଲଟିଛି । ଭୂ-ରାଜନୈତିକ ଅସ୍ଥିରତା ଏବଂ ଅନ୍ୟାନ୍ୟ ବାହ୍ୟ ସମସ୍ୟା ସତ୍ତ୍ୱେ ମଜଭୁତ ଅଭିବୃଦ୍ଧି ଏବଂ ଦୃଢ଼ ସାମର୍ଥ ସହିତ ଏସିଆରେ ତୃତୀୟ ମହାଶକ୍ତି ପାଲଟିଛି ଭାରତ । ନିକଟରେ ପ୍ରକାଶିତ ଏସିଆ ପାୱାର ଇଣ୍ଡେକ୍ସରେ ଏହା ପ୍ରଦାନ କରିଛି ଲମ୍ବା ଲମ୍ଫ । ଆଞ୍ଚଳିକ ଶକ୍ତି ମାନ୍ୟତାରେ ଭାରତର କ୍ରମାଗତ ଉନ୍ନତିକୁ ଏହି ଇଣ୍ଡେକ୍ସରେ ଦର୍ଶାଯାଇଛି । ଗତିଶୀଳ ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ସମ୍ପ୍ରସାରିତ ଅର୍ଥବ୍ୟବସ୍ଥା ଯୋଗୁ ଦେଶର ପ୍ରଭାବ ବଢ଼ିଛି । ଋଷ ଏବଂ ଜାପାନକୁ ପଛରେ ପକାଇ ଏସିଆ ପାୱାର ଇଣ୍ଡେକ୍ସରେ ତୃତୀୟ ମହାଶକ୍ତିର ମୁକୁଟ ପିନ୍ଧିଛି ଭାରତ ।
ସମଗ୍ର ଏସିଆରେ ଦବଦବା ରଖିଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ଆମେରିକା ଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛି ଚୀନ । ଅଷ୍ଟ୍ରେଲିଆର ଲୋଇ ଇନଷ୍ଟିଚୁ୍ୟଟ ପକ୍ଷରୁ ଜାରି କରଯାଇଥିବା ଏସିଆ ପାୱାର ଇଣ୍ଡେକ୍ସରେ ଭାରତର ନିକିତି ଭାରି ରହିଛି । ରିପୋର୍ଟ ଅନୁସାରେ, ଜାପାନର ଆର୍ଥିକ ଶକ୍ତି କମିବା ଫଳରେ ଏହାର କ୍ଷମତା ହ୍ରାସ ପାଇଛି ଓ ଏହା ଚତୁର୍ଥ ସ୍ଥାନକୁ ଖସି ଆସିଛି । ତାଲିକାରେ ଭାରତର ଉତ୍ତମ ପ୍ରଦର୍ଶନର ଅନେକ କାରଣ ରହିଛି । ସେଗୁଡ଼ିକ ହେଲା ମହାମାରୀ ପରବର୍ତ୍ତୀ ଆର୍ଥିକ ସୁଧାରରେ ଦେଶର ଉଲ୍ଲେଖନୀୟ ପ୍ରଦର୍ଶନୀ । ଯାହା ଏହାର ଆର୍ଥିକ କ୍ଷମତାକୁ ୪.୨ ପଏଣ୍ଟ ବଢ଼ାଇଛି । ଦେଶର ମଜଭୁତ ଜିଡ଼ିପି ଅଭିବୃଦ୍ଧି ଏବଂ କ୍ରୟ କ୍ଷମତା ସମାନତାରେ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିର ମାନ୍ୟତା ଭାରତର ଶକ୍ତିକୁ ବଢ଼ାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ମହାମାରୀ ପରେ ଭାରତରେ ଦେଖାଦେଇଥିବା ଦ୍ରୁତ ଆର୍ଥିକ ସୁଧାର ଏସିଆ ପାୱାର ଇଣ୍ଡେକ୍ସ ୨୦୪୦ରେ ସ୍ପଷ୍ଟ ପ୍ରତିଫଳିତ ହୋଇଥିବା ସୂଚନା ଏବଂ ପ୍ରସାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଭାରତର ଭବିଷ୍ୟତ ସମ୍ବଳ ସ୍କୋର ୮.୨ ପଏଣ୍ଟ ବୃଦ୍ଧି ପାଇଛି । ଚୀନ ଏବଂ ଜାପାନରେ ବୟସ୍କଙ୍କ ଜନସଂଖ୍ୟା ବଢ଼ୁଥିବାବେଳେ ଭାରତର ଯୁବ ବଳ ଅର୍ଥନୀତି ପାଇଁ ଦୃଢ଼ ଆଶା ସଞ୍ଚାର କରିଛି । ଆଗାମୀ ଦଶନ୍ଧିରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ମାନବ ସମ୍ବଳ ବିକାଶରେ ଯୁବବଳ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି । ଭାରତର ଗୋଷ୍ଠୀ ନିରପେକ୍ଷ ରଣନୀତିକ ଆଭିମୁଖ୍ୟ ନୂଆଦିଲ୍ଲୀକୁ ଜଟିଳ ଅନ୍ତର୍ଜାତୀୟ ଜଳସୀମାରେ ପ୍ରଭାବଶାଳୀ ଢ଼ଙ୍ଗରେ ଯାତାୟାତ କରିବାକୁ ଅନୁମତି ଦେଇଛି । ୨୦୨୩ରେ କୂଟନୀତିକ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଭାରତର ଷଷ୍ଠ ସ୍ଥାନରେ ରହିଛି, ଯାହା ବହୁ ପକ୍ଷୀୟ ମଞ୍ଚରେ ସକି୍ରୟ ଯୋଗଦାନକୁ ପ୍ରତିଫଳିତ କରୁଛି । ଏହାବ୍ୟତୀତ ଭାରତର ବିଶାଳ ଜନସଂଖ୍ୟା ଏବଂ ଆର୍ଥିକ ସମସ୍ୟା ମଧ୍ୟ ଏଥିପାଇଁ ଯଥେଷ୍ଟ ସମ୍ଭାବନା ସୃଷ୍ଟି କରିଛି । ସାଂସ୍କୃତିକ ପ୍ରଭାବ ଦୃଷ୍ଟିରୁ ଭାରତର ସ୍କୋର ମଧ୍ୟ ଅପେକ୍ଷାକୃତ ସୁଦୃଢ଼ ରହିଛି । ଏହାବ୍ୟତୀତ ବହୁପକ୍ଷୀୟ କୂଟନୀତି ଏବଂ ସୁରକ୍ଷା ସହଯୋଗରେ ଭାରତର ଭୂମିକା ଉପରେ ଗୁରୁତ୍ୱ ଦିଆଯାଇଛି । ଆଲୋଚନାରେ ଭାରତର ଅଂଶଗ୍ରହଣ ଏବଂ କ୍ୱାଡ଼ରେ ଏହାର ନେତୃତ୍ୱ ଆନୁଷ୍ଠାନିକ ସାମରିକ ମେଣ୍ଟ ବାହିନୀରେ ଥିଲେ ମଧ୍ୟ ଆଞ୍ଚଳିକ ନିରାପତ୍ତା ଗତିଶୀଳତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଅନୁମତି ଦେଇଛି । 
୨୦୨୪ ଏସିଆ ପାୱାର ଇଣ୍ଡେକ୍ସରେ ଭାରତକୁ ଏସିଆରେ ଏକ ପ୍ରଭାବଶାଳୀ ଶକ୍ତି ଭାବେ ଦର୍ଶାଯାଇଛି । ଦେଶର ଯଥେଷ୍ଟ ସମ୍ବଳ ଭିତ୍ତିଭୂମି ଏହାକୁ ଭବିଷ୍ୟତର ଅଭିବୃଦ୍ଧି ପାଇଁ ପ୍ରଚୁର ସମ୍ଭାବନା ପ୍ରଦାନ କରୁଛି । ଭାରତ ପାଇଁ ଦୃଷ୍ଟିକୋଣ ଆଶାବାଦୀ । କ୍ରମାଗତ ଆର୍ଥିକ ଅଭିବୃଦ୍ଧି ଏବଂ ବୃଦ୍ଧି ପାଉଥିବା କର୍ମଚାରୀ ସହିତ ଭାରତ ଆଗାମୀ ବର୍ଷ ଗୁଡ଼ିକରେ ନିଜର ପ୍ରଭାବ ବିସ୍ତାର କରିବାକୁ ଭଲ ସ୍ଥିତିରେ ରହିଛି । ବିଶେଷକରି ଭାରତର ବଢ଼ୁଥିବା କୂଟନୈତିକ ପ୍ରଭାବ ଏବଂ ଏହାର ରଣନୀତିକ ସ୍ୱାଧୀନତା ଏହାକୁ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ପ୍ରମୁଖ ଅଂଶୀଦାର କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପ୍ରକାଶଯୋଗ୍ୟ ଏସିଆ ପାୱାର ଇଣ୍ଡେକ୍ସକୁ ପ୍ରତିବର୍ଷ ଜାରି କରାଯାଇଥାଏ । ବାହ୍ୟ ଭୂ-ରାଜନୈତିକ ଆହ୍ୱାନଗୁଡ଼ିକୁ ସାମ୍ନା କରିବା ପାଇଁ ରାଷ୍ଟ୍ରଗୁଡ଼ିକର ସାମର୍ଥ୍ୟ ଆଧାରରେ ସେମାନଙ୍କୁ ର୍ୟାଙ୍କ ପ୍ରଦାନ କରାଯାଇଥାଏ । ଦେଶ ଗୁଡ଼ିକର ଅର୍ଥନୈତିକ ସାମର୍ଥ୍ୟ, ସେନାବାହିନୀ କ୍ଷମତା ଏବଂ କୂଟନୈତିକ ପ୍ରଭାବ ସହିତ ୮ଟି ପ୍ରମୁଖ ମାପକକୁ ଦେଖି ପ୍ରତ୍ୟେକ ରାଷ୍ଟ୍ରର ସାମର୍ଥ୍ୟକୁ ଆକଳନ କରାଯାଇଥାଏ । ଏଥିରେ ଏସିଆ ପ୍ରଶାନ୍ତ ଅଞ୍ଚଳର ୨୭ଟି ଦେଶର କ୍ଷମତାକୁ ମପାଯାଇଥାଏ । ତାଲିକାରେ ଅଷ୍ଟ୍ରେଲିଆକୁ ପଞ୍ଚମ ଏବଂ ୟୁକ୍ରେନ ସହ ଯୁଦ୍ଧରେ ମାତିଥିବା ରୁଷକୁ ଷଷ୍ଠ ସ୍ଥାନ ମିଳିଛି । ୨୦୧୮ରୁ ଲୋଇ ଇନଷ୍ଟିଚୁ୍ୟଟ ପକ୍ଷରୁ ଏ ତାଲିକା ପ୍ରକାଶ ପାଇଆସୁଛି । ଚଳିତ ସଂସ୍କରଣରେ ଆମେରିକାକୁ ୮୧.୭, ଚୀନକୁ ୭୨.୭ ଏବଂ ଜାପାନକୁ ୩୮.୯ ପଏଣ୍ଟ ମିଳିଛି । ତେବେ ପାକିସ୍ତାନକୁ ମାତ୍ର ୧୪.୬ ପଏଣ୍ଟ ମିଳିଛି ଏବଂ ଏହା ତାଲିକାରେ ୧୬ ନମ୍ବରରେ ରହିଛି । ଏସିଆ ପାୱାର ଇଣ୍ଡେକ୍ସରେ ଅନୁଶୀଳନ କରାଯାଇଛି ଯେ ଏ ଦେଶଗୁଡ଼ିକ ପାଖରେ କ'ଣ ଅଛି ଏବଂ ତାହାକୁ ଏମାନେ କିଭଳି ବ୍ୟବହାର କରୁଛନ୍ତି । ଏଥିରେ ପାକିସ୍ତାନ ଠାରୁ ଆରମ୍ଭ କରି ରୁଷ ପର୍ଯ୍ୟନ୍ତ ଏବଂ ପ୍ରଶାନ୍ତ କ୍ଷେତ୍ରରେ ଅଷ୍ଟ୍ରେଲିଆ, ନୁ୍ୟଜିଲାଣ୍ଡ ଏବଂ ଆମେରିକାକୁ ବି ସାମିଲ କରାଯାଇଛି । ଛଅ ବର୍ଷର ତଥ୍ୟକୁ ଏଥିରେ ବ୍ୟବହାର କରାଯାଇଛି । ଏଥିରେ କୁହାଯାଇଛି, ଏବେ ବି ଏସିଆରେ ସବୁଠାରୁ ପ୍ରଭାବଶାଳୀ ଶକ୍ତି ହେଉଛି ଆମେରିକା । କିନ୍ତୁ ଏବେ ଚୀନ ତରଫରୁ ଆମେରିକାକୁ ବର୍ଦ୍ଧିତ ସେନା ଶକ୍ତିର ଚାପ ରହିଛି । ଆଜି ଭାରତ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି । ନିକଟରେ ମୋଦିଜୀ ଭାରତର ତୃତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାର ଶପଥ ଉତ୍ସବ ସମୟରେ ପଡ଼ୋଶୀ ଦେଶ ସମେତ ସାତଟି ଦେଶର ନେତା ଉପସ୍ଥିତ ଥିଲେ । ଏପରିକି ଚୀନ ଚାପରେ ଭାରତ ଜଣେ ପୂର୍ବରୁ ମିତ୍ର ଥିବା ଓ ବର୍ତ୍ତମାନ ଶତ୍ରୁ ପାଲଟିଥିବା ମାଳଦ୍ୱୀପକୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭାରତ ନିମନ୍ତ୍ରଣ କରି ତା ସହୃଦୟତାର ପ୍ରମାଣ ଦେଇଛି । ମୋଦିଜୀଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ମାଳଦ୍ୱୀପ, ବାଙ୍ଗଲାଦେଶ, ଶ୍ରୀଲଙ୍କା, ମରିସସ, ନେପାଳ, ଭୁଟାନ, ସିଚେଲର ରାଷ୍ଟ୍ରନେତାମାନେ ଯୋଗ ଦେଇଥିଲେ । ଋଷ -ୟୁକ୍ରେନ ଦୀର୍ଘ ଯୁଦ୍ଧର ଅବସାନ ପାଇଁ ୟୁରୋପୀୟ ନେତାମାନେ ମୋଦିଜୀଙ୍କ ଭୂମିକାକୁ ଚାତକ ପରି ଚାହିଁ ବସିଛନ୍ତି । ଭାରତର ଉଭୟ ରୁଷ ଓ ୟୁକ୍ରେନ ସହ ସମ୍ପର୍କ ଖୁବ ଭଲ ଏବଂ ରୁଷର ରାଷ୍ଟ୍ରପତି ପୁଟିନଙ୍କ ସହ ମୋଦିଜୀଙ୍କ ଘନିଷ୍ଠ ସମ୍ପର୍କ ଥିବାରୁ ଭାରତ ହସ୍ତକ୍ଷେପ କରିବା ଦ୍ୱାରା ଏ ଯୁଦ୍ଧର ଅବସାନ ହୋଇପାରିବ ବୋଲି ୟୁରୋପିଆନ ରାଷ୍ଟ୍ରର ନେତା ମାନଙ୍କର ବଡ଼ ଆଶା ରହିଛି । ମୋଦିଜୀଙ୍କ ନେତୃତ୍ୱରେ ଭାରତ ଦିନକୁ ଦିନ ଶକ୍ତିଶାଳୀ ହେଉଛି ଓ ନିଜ କୂଟନୀତିରେ ମଧ୍ୟ ସଶକ୍ତ ହେବା ସହ କେବଳ ପଡ଼ୋଶୀ ଦେଶ ନୁହେଁ ବିଶ୍ୱର ତମାମ ସମସ୍ତ ଦେଶ ସହ ତାର ସମ୍ପର୍କ ଘନିଷ୍ଠ ଓ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି ।