୪ଟା ଯାଏଁ ଗୃହ ମୁଲତବୀ

୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ପ୍ରବଳ ହଟ୍ଟଗୋଳକୁ ଦୃଷ୍ଟିରେ ରଖି ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ପ୍ରଥମ ଗୃହକୁ ଦିନ ୧୧ଟା ୩୦ ଓ ପରେ ଗୃହକୁ ଦିନ ୧ଟା ଯାଏ ମୁଲତବୀ ଘୋଷଣା କରାଯାଇଥିଲା । ଦିନ ୧ଟା ପରେ ଗୃହ କାର୍ୟ୍ୟ ଆରମ୍ଭ ହୋଇଥିଲେ ହେଁ ପରିସ୍ଥିତିରେ ସୁଧାର ଆସିନଥିଲା । ବିରୋଧୀ ସଦସ୍ୟ ପୁଣି ହଟ୍ଟଗୋଳ କରିଥିଲେ । ଯାହାକୁ ନେଇ ବାଚସ୍ପତି ଗୃହ କାର୍ୟ୍ୟ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । 

ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାକୁ ନେଇ ଆଜି ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ ବିଜେଡି ବିଧାୟକ, ଆଉ କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରିଛି। ସୁଭଦ୍ରା ଯୋଜନା ନାଁରେ ବିଜେପି ସରକାର ଓଡ଼ିଶାର ମହିଳାମାନଙ୍କ ସହ ପ୍ରତାରଣା କରିଥିବା ଅଭିଯୋଗ କରି ବିଧାନସଭା ପ୍ରଶ୍ନ କାଳରେ ଗୃହର ମଧ୍ୟ ଭାଗକୁ ଆସି ବିଜେଡି ପ୍ରତିବାଦ କରିଥିଲେ। ବିଜେଡି ଅଭିଯୋଗ କରିଛି ଯେ ବିଜେପି ନିର୍ବାଚନ ପୂର୍ବରୁ ନିଜର ନିର୍ବାଚନୀ ପ୍ରତିଶ୍ରୁତି ପତ୍ରରେ ସୁଭଦ୍ରା ଯୋଜନାରେ ରାଜ୍ୟର ସବୁ ମହିଳାଙ୍କୁ ସାମିଲ କରିବା ଏବଂ ଦୁଇ ବର୍ଷରେ ୫୦ ହଜାର ପ୍ରଦାନ କରିବ ବୋଲି କହିଥିଲା। ହେଲେ ଏବେ କହୁଛି ରାଜ୍ୟର ୧ କୋଟି ମହିଳା ସାମିଲ ହେବେ ଆଉ ବର୍ଷକୁ ଦୁଇଟି କିସ୍ତିରେ ୫ ହଜାର ଲେଖାଏଁ କରି ୧୦ ହଜାର ଏପରି ୫ ବର୍ଷରେ ୫୦ ହଜାର ପ୍ରଦାନ କରିବେ। ଯଦି ମହିଳାଙ୍କୁ ୫ ବର୍ଷରେ ବର୍ଷକୁ ମାତ୍ର ୧୦ ହଜାର ଦେବେ,ତେବେ ମହିଳା ଜଣଙ୍କ ସେହି ଟଙ୍କାରେ କେମିିତି ସ୍ବାବଲମ୍ବୀ ହୋଇପାରିବେ। ବିଜେପି କଣ ପାଇଁ ରାଜ୍ୟର ମହିଳାଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିଲା, ଭୋଟ ପାଇଁ ମିଛ କହିଥିଲା, ଆଉ ଭୋଟ ମିଳିଲା ପରେ ଏବେ ନାଟକ କରୁଛି ବୋଲି ବିଜେଡି ଅଭିଯୋଗ କରିଛି।