୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତେ ହେବେ ‘ଆୟୁଷ୍ମାନ ଭାରତ’ରେ ସାମିଲ
ନୂଆଦିଲ୍ଲୀ: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବରିଷ୍ଠ ନାଗରିକଙ୍କୁ ମୋଦି ସରକାରର ବଡ ଉପହାର । କେନ୍ଦ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା ‘ପ୍ରଧାନମନ୍ତ୍ରୀ ଜନଆରଗ୍ୟ’ ଯୋଜନା ବା ‘ଆୟୁଷ୍ମାନ ଭାରତ’ରେ ସାମିଲ ହେବେ ୭୦ ବର୍ଷ ବୟସରୁ ଊର୍ଦ୍ଧ୍ବ ନାଗରିକ । ଅର୍ଥ, ଆୟ କିମ୍ବା ପେନସନ ପରି ଅନ୍ୟ କୌଣସି ମାପଦଣ୍ଡ ସେମାନଙ୍କ କ୍ଷେତ୍ରରେ ବାଧା ସୃଷ୍ଟି କରିବ ନାହିଁ । ୭୦ ବର୍ଷରୁ ଅଧିକ ଯେକୌଣସି ବୃଦ୍ଧବୃଦ୍ଧା ଏଥିରେ ସାମିଲ ହୋଇ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସ୍ବାସ୍ଥ୍ୟ ବୀମା ଗ୍ରହଣ କରିପାରିବେ । କେନ୍ଦ୍ରର ସୂଚନା ଅନୁସାରେ, ଏଥିରେ ୪.୫ କୋଟି ପରିବାର ଓ ୬ କୋଟି ବରିଷ୍ଠ ନାଗରିକ ଉପକୃତ ହେବେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିରେ ୬କୋଟି ବରିଷ୍ଠ ନାଗରିକଙ୍କ ସହ ପାଖାପାଖି ୪.୫ କୋଟି ପରିବାର ଲାଭାନ୍ବିତ ହେବେ । କେନ୍ଦ୍ର କ୍ୟାବିନେଟର ଏହି ଅନୁମୋଦନ ଦ୍ୱାରା ୭୦ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ ସେମାନଙ୍କର ସାମାଜିକ, ଆର୍ଥିକ ସ୍ଥିତିର ମାପଦଣ୍ଡ ବିନା ଏହି କେନ୍ଦ୍ରୀୟ ଯୋଜନାରେ ସାମିଲ ହୋଇ ଲାଭ ଉଠାଇ ପାରିବେ । ଏଥିପାଇଁ ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ ‘ଆୟୁଷ୍ମାନ ଭାରତ’ ସ୍ୱତନ୍ତ୍ର କାର୍ଡ ପ୍ରଦାନ କରାଯିବ ।
ପୂର୍ବରୁ ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇସାରିଥିବା ପରିବାରର ୭୦ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ବରିଷ୍ଠ ନାଗରିକମାନଙ୍କୁ ନିଜ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଅତିରିକ୍ତ ଟପ-ଅପ କଭର ମିଳିବ । ଯାହା ଫଳରେ ଏହି ଟପ-ଅଫ ରାଶିରେ ସେମାନଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ଅଂଶୀଦାରୀ ରହିବ ନାହିଁ । ୭୦ ବର୍ଷରୁ ଅଧିକ ବୟସର ଅନ୍ୟ ସମସ୍ତ ବରିଷ୍ଠ ନାଗରିକଙ୍କୁ ପାରିବାରିକ ଭିତ୍ତିରେ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ବୀମା ମିଳିବ ।