ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ରାଜ୍ୟର ନିଜସ୍ବ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନା ପାଇଁ ହିତାଧିକାରୀଙ୍କୁ ଗୋଟିଏ କାର୍ଡ ପ୍ରଦାନ କରାଯିବ। ଉଭୟ ଯୋଜନା ଅଧୀନରେ ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେବେ। ଏହାଦ୍ୱାରା ରାଜ୍ୟବାସୀଙ୍କୁ ସାମାଜିକ ନିରାପତ୍ତା ମିଳିପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ଘୋଷଣା କରିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସାମାଜିକ ନିରାପତ୍ତା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟର ୭୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହି କାର୍ଡରେ ସ୍ବାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ବର୍ତ୍ତମାନ ରେସନକାର୍ଡ ଇ-କେୱାଇସି ପଞ୍ଜୀକରଣ ଅବ୍ୟାହତ ରହିଛି। ଏହି ପଞ୍ଜୀକରଣ ଶେଷ ପରେ ରାଜ୍ୟରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଜଣାପଡ଼ିବ। ଏହାପରେ ସେମାନଙ୍କୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ପୂର୍ବର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାତ୍ର ୯୫୭ଟି ହସ୍ପିଟାଲରେ ରାଜ୍ୟର ଲୋକଙ୍କୁ ସ୍ବାସ୍ଥ୍ୟ ବୀମା ସୁବିଧା ମିଳୁଥିଲା। ଉଭୟ ଆୟୁଷ୍ମ‌ାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ଦେଶର ୨୭ହଜାରରୁ ଅଧିକ ଅନୁବନ୍ଧିତ ହସ୍ପିଟାଲରେ ସବୁ ହିତାଧିକାରୀ ସ୍ବାସ୍ଥ୍ୟ ସେବା ପାଇପାରିବେ ବୋଲି ସେ କହିଛନ୍ତି।