ସିବିଆଇ ତଦନ୍ତ ଦାବି କଲା ଟିଭିକେ

ନୂଆଦିଲ୍ଲୀ : ବିଜୟଙ୍କ କାରୁର ରାଲିରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଏହାକୁ ନେଇ ଏବେ ତାମିଲନାଡୁ ରାଜନୀତି ସରଗରମ ହୋଇଯାଇଛି  । ଗୋଟିଏ ପଟେ ପୁଲିସ୍‌ ବିଜୟଙ୍କ ଉପରେ ଦୋଷ ଲଦିଥିବାବେଳେ ଅପରପକ୍ଷରେ ବିଜୟଙ୍କ ଦଳ ଟିଭିକେ ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି । 

ଟିଭିକେ ପକ୍ଷରୁ କୁହାଯାଇଛିଯେ, ବିଜୟଙ୍କୁ ରାଜନୈତିକ ନିଶାନା କରାଯାଉଛି । ବିଜୟ କହିବାକୁ ଆରମ୍ଭ କରିବା ବେଳେ ଲାଇନ୍‌ କାଟି ଦିଆଗଲା । ତାଙ୍କ ଉପରକୁ ଚପଲ ଫିଙ୍ଗାଗଲା । ଏହି ମଉକାରେ ପୁଲିସ୍‌ ଲାଠିଚାର୍ଜ ବି କରିଥିଲା  । ଟିଭିକେକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା । ସେହିପରି ଟିଭିକେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ସବୁ ସିସି ଟିଭିକୁ ତନଖି କରିବାକୁ ନିର୍ଦ୍ଦେଶ ଦେବାକୁ ବି ଦଳ ପକ୍ଷରୁ କୋର୍ଟଙ୍କୁ ନିବେଦନ କରାଯାଇଛି  । ଅପରପକ୍ଷରେ ଲାଇନ୍‌ କାଟିବାକୁ ଟିଭିକେ ପକ୍ଷରୁ ବିଦ୍ୟୁତ୍‌ ବିଭାଗକୁ ପତ୍ର ଲେଖାଯାଇଥିଲା । ଏନେଇ ବିଭାଗ ପକ୍ଷରୁ ପତ୍ରର ନକଲ ବି ଜାରି କରାଯାଇଛି ।

ଅପରପକ୍ଷରେ କାରୁର ଦଳାଚକଟା ଘଟଣାରେ ସୋସିଆଲ ମିଡ଼ିଆରେ ଉତ୍ତେଜନାମୂଳକ ପୋଷ୍ଟ କରିଥିବା ୨୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନଙ୍କୁ ଚେନ୍ନାଇ ପୁଲିସ୍‌ ଗିରଫ କରିବ ବୋଲି ଜାଣିବାକୁ ମିଳିଛି  । ଏଭଳି ପୋଷ୍ଟ ଅଶାନ୍ତି ସୃଷ୍ଟି କରିବାର ଆଶଙ୍କା ଥିଲା ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି । ସେହିପରି ସୋସିଆଲ ମିଡ଼ିଆରେ ଜାରି ଭିଡ଼ିଓଗୁଡ଼ିକୁ ବି ପୁଲିସ୍‌ ଯାଞ୍ଚ କରିଛି । କିଛି ବ୍ୟକ୍ତି ଲୋକଙ୍କୁ ଭ୍ରମାତ୍ମକ ତଥ୍ୟ ଦେଇଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଅପରପକ୍ଷରେ ଏନଡ଼ିଏର ଏକ ପ୍ରତିନିଧି ଦଳ କାରୁର ଯିବେ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୂଚନା ଦେଇଛନ୍ତି । ସାଂସଦ ହେମାମାଳିନୀଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ତେଜସ୍ୱୀ ସୂର୍ଯ୍ୟା, ପୂର୍ବତନ ଡିଜିପି ବ୍ରଜ ଲାଲ, ଶିବସେନାର ଶ୍ରୀକାନ୍ତ ସିନ୍ଦେ, ଅପରାଜିତା ଷଡ଼ଙ୍ଗୀ, ରେଖା ଶର୍ମା ଓ ପୁଟ୍ଟା ମହେଶ କୁମାର କାରୁର ଯିବେ ବୋଲି ସୂଚନା ମିଳିଛି । ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍‌ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି ।