୨ କୁଖ୍ୟାତ ଆତଙ୍କବାଦୀ ଗିରଫ
ାା ଏଜେନ୍ସି ।ା ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଏକାଧିକ ଗ୍ରେନେଡ ଆକ୍ରମଣରେ ସାମିଲ ଥିବା ଦୁଇ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ପୁଲିସ୍ ଧରିବାରେ ସକ୍ଷମ ହୋଇଛି । ପୁଞ୍ଚରେ ହୋଇଥିବା ଏକାଧିକ ଗ୍ରେନେଡ ମାଡ ଘଟଣାର ତଦନ୍ତ ପୁଲିସ କରୁଥିଲା । ଏହାପରେ ଜମ୍ମୁ-କାଶ୍ମୀର ଘଜନବୀ ଫୋର୍ସ ବା ଜେକେଜିଏଫର ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଜମ୍ମୁ ଜୋନର ଅତିରିକ୍ତ ପୁଲିସ୍ ମହାନିଦେ୍ର୍ଦଶକ ଆନନ୍ଦ ଜୈନ କହିଛନ୍ତି ଯେ ଦୁଇ ଗିରଫ ଆତଙ୍କବାଦୀ ହେଲେ ଅବଦୁଲ ଅଜିଜ ଓ ମନୱର ହୁସୈନ । ଉଭୟଙ୍କ ଘର ହରି ଗାଁରେ । ସେମାନଙ୍କୁ ଗିରଫ କରିବା ସୁରକ୍ଷାକର୍ମୀଙ୍କ ପାଇଁ ଗୋଟିଏ ବଡ ସଫଳତା ବୋଲି ସେ କହିଛନ୍ତି । ଶୁକ୍ରବାର ୩୭ ରାଷ୍ଟ୍ରୀୟ ରାଇଫଲ୍ସ ଓ ସିଆରପିଏଫର ୩୮ତମ ବାଟାଲିୟନ ଯବାନଙ୍କ ସହ ପୁଲିସ୍ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ଏହି ସମୟରେ ଅଜିଜକୁ ଗିରଫ କରାଯାଇଛି । ତା’ ନିକଟରୁ ୨ଟି ଗ୍ରେନେଡ ମଧ୍ୟ ଜବତ ହୋଇଛି । ତଦନ୍ତ ବେଳେ ତା’ ଘରକୁ ଆଉ ଗୋଟିଏ ଗ୍ରେନେଡ ଜବତ ହୋଇଥିଲା । ତା’ର ସହଯୋଗୀ ମନୱରକୁ ମଧ୍ୟ ଗିରଫ କରାଯାଇଛି । ତା’ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ମାଗଜିନ ଓ ୯ ରାଉଣ୍ଡ ଜୀବନ୍ତ ଗୁଳି ମିଳିଛି ।
ଆତଙ୍କୀ ନେଟୱର୍କକୁ ଧ୍ୱଂସ କରିବା ପାଇଁ ଚାଲିଥିବା ଅଭିଯାନରେ ଏହା ବଡ ସଫଳତା ବୋଲି ଶ୍ରୀ ଜୈନ କହିଛନ୍ତି । ତାଙ୍କ କହିବା କଥା ଯେ ଗିରଫ ଦୁଇ ଆତଙ୍କବାଦୀଙ୍କ ଲିଙ୍କ ସୀମା ସେପଟେ ମଧ୍ୟ ରହିଥିଲା । ଗତବର୍ଷ ନଭେମ୍ବରରୁ ପୁଞ୍ଚରେ ହୋଇଥିବା ସମସ୍ତ ୫ ଗ୍ରେନେଡ ମାଡ ଘଟଣାର ଏବେ ସମାଧାନ ହୋଇଛି । ଏହା ପଛରେ ଥିବା ଜେକେଜିଏଫରର ଆତଙ୍କୀ ନେଟୱର୍କ ଝଟକା ଦିଆଯାଇଛି । ଜେରାରୁ ଜଣାପଡିଛି ଯେ ଏମାନେ ସୀମା ସେପଟେ ଥିବା ହ୍ୟାଣ୍ଡଲର ଠାରୁ ଏମାନେ ବନ୍ଧୁକ ଓ ଗୁଳିଗୋଳା ସହ ୧.୫ ଲକ୍ଷ ଟଙ୍କା ପାଇଥିଲେ । ପିସ୍ତଲ ଚଳାଇବାରେ ଏମାନେ ତାଲିମପ୍ରାପ୍ତ । ଜଙ୍ଗଲ ଅଞ୍ଚଳରେ ଏମାନେ କିଛି ରାଉଣ୍ଡ ଗୁଳି ଚଳାଇ ଅଭ୍ୟାସ ମଧ୍ୟ କରିଥିଲେ । ଗତବର୍ଷ ନଭେମ୍ବର ୧୫ରେ ଅଜିତ ସୁର୍ନାକୋଟେରେ ଥିବା ଗୋଟିଏ ଶିବ ମନ୍ଦିର ଉପରକୁ ଗ୍ରେନେଡ ମାଡ କରିଥିଲା । ମାର୍ଚ୍ଚ ୨୬ରେ ପୁଞ୍ଚରେ ଥିବା ଗୁରୁଦ୍ୱାର ମହନ୍ତ ସାହିବ, କମସାରରେ ଥିବା ଗୋଟିଏ ଆର୍ମି ପୋଷ୍ଟ ଓ ଅଗଷ୍ଟ ୧୪ରେ ସିଆରପିଏଫର ପୋଷ୍ଟ ନିକଟରେ ଥିବା ଗୋଟିଏ ସ୍କୁଲ ଗ୍ରାଉଣ୍ଡରେ ମଧ୍ୟ ଅଜିଜ ଗ୍ରେନେଡ ମାଡ କରିଥିଲା । ଜୁଲାଇ ୧୮ରେ ମନୱର ଜିଲ୍ଲା ହସ୍ପିଟାଲର କ୍ୱାର୍ଟର୍ସ ନିକଟରେ ଗ୍ରେନେଡ ଫିଙ୍ଗିଥିଲା ବୋଲି ପୁଲିସ କହିଛି ।